ସିବିଆଇର ସଂଦେହ, କେବଳ ତଳିଆ କର୍ମଚାରୀଙ୍କୁ ନେଇ ଏଡେ ବଡ଼ ଠକେଇ ସମ୍ଭବ ନୁହେଁ

ମୁମ୍ବାଇ: ମୁମ୍ବାଇର ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଦ୍ୱାରା କରାଯାଇଥିବା ୧୧,୪୦୦ କୋଟିର ପିଏନବି ଠକେଇ ମାମଲାର ରହସ୍ୟ ଧୀରେ ଧୀରେ ଭେଦ କରୁଛି ସିବିଆଇ । ଦିନକୁ ଦିନ ଅନେକ ନୂଆ ନୂଆ ତଥ୍ୟ ସିବିଆଇ ହାତରେ ଲାଗୁଛି । ଏହି ଠକେଇ କାରବାରର ଚେର କେତେ ଯେ ଗଭୀରକୁ ଯାଇଛି ତାହା ଖୋଦ ସିବିଆଇ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ତେବେ ସିବିଆଇ ଏହା ମଧ୍ୟ ନିଶ୍ଚିତ ହୋଇଯାଇଛି ଯେ କେବଳ ବ୍ୟାଙ୍କର ତଳିଆ କର୍ମଚାରୀ ଓ କିରାଣୀଙ୍କୁ ନେଇ ଏତେ ବଡ଼ କାଣ୍ଡ ହେବା ସମ୍ଭବ ନୁହେଁ ।

ଘଟଣାର ଆହୁରି ଖୋଳତାଡ଼ କରିବାକୁ ସିବିଆଇ ପକ୍ଷରୁ ଏହି ସ୍କାମ ହୋଇଥିବା ପିଏନବିର ଦକ୍ଷିଣ ମୁମ୍ବାଇ ଶାଖାକୁ ସିଲ୍‌ କରିଦିଆଯାଇଛି । ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ପଂଜାବ ନ୍ୟାସନାଲ ବ୍ୟାଙ୍କ କିଛି ଅଧିକାରୀ ନିରବ ମୋଦିଙ୍କ ଲୋକଙ୍କୁ ବ୍ୟାଙ୍କର ଗୋପନୀୟ ପାସଓ୍ଵାର୍ଡ ମଧ୍ୟ ପ୍ରଦାନ କରିଥିଲେ । ଗିରଫ ହୋଇଥିବା ପୂର୍ବତନ ଡେପୁଟୀ ମ୍ୟାନେଜର ଗୋକୁଳନାଥ ସେଟ୍ଟୀ ନିରବ ମୋଦି କମ୍ପାନିକୁ କେତେକ ଜାଲ ଲେଟର ଅଫ ଅଣ୍ଡରଟେକିଂ ପ୍ରଦାନ କରିଥିଲା । ଏଗୁଡ଼ିକୁ ଗ୍ୟାରେଣ୍ଟି ଭାବେ ବ୍ୟବହାର କରି ନିରବ ମୋଦି କେତେକ ବ୍ୟାଙ୍କର ବିଦେଶୀ ଶାଖାରୁ ଋଣ ଉଠାଇଥିଲା । ସେଟ୍ଟୀ ବ୍ୟାଙ୍କର ନିରାପଦ ଯୋଗାଯୋଗ ବ୍ୟବସ୍ଥା ସ୍ୱିଫ୍ଟ ବ୍ୟବହାର କରି ସଂପୃକ୍ତ ବିଦେଶୀ ଶାଖାକୁ କନଫରମେସନ ଲେଟର ପଠାଏ । ଏପରିକି ଏହି ସିଷ୍ଟମର ପାସଓ୍ଵାର୍ଡ ମଧ୍ୟ ନିରବ ମୋଦି ଲୋକଙ୍କୁ ପ୍ରଦାନ କରାଯାଇଥିଲା , ଯେପରିକି ସେମାନେ ଏହି ଯୋଗାଯୋଗକୁ ଟ୍ରାକ୍‌ କରିପାରିବେ । ଅନ୍ୟପକ୍ଷରେ ସ୍ୱିଫ୍ଟ ( ଏକ ପ୍ରକାରର ନିରାପଦ ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ଯୋଗାଯୋଗ ବ୍ୟବସ୍ଥା) ବ୍ୟବହାର କରି ଏସବୁ କାରବାର କରାଯାଉଥିଲେ ମଧ୍ୟ ସେଟ୍ଟୀ ବ୍ୟାଙ୍କର ନିଜସ୍ୱ ଆଭ୍ୟନ୍ତରୀଣ ସଫ୍ଟଓ୍ଵାର ସିଷ୍ଟମରେ ଏଗୁଡ଼ିକୁ ଏଣ୍ଟର କରୁନଥିଲେ । ଏପରି କାରବାର ବିଗତ କିଛି ବର୍ଷ ଧରି ଚାଲିଥିଲା ।

ସମ୍ବନ୍ଧିତ ଖବର