କାର୍ତ୍ତିଙ୍କୁ ଗିରଫ କଲା ସିବିଆଇ

ବିଜେପିର ପ୍ରତିଶୋଧ ରାଜନୀତି: କଂଗ୍ରେସ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆର ବେଆଇନ ଅର୍ଥ କାରବାର ମାମଲାରେ ଆଜି ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଗିରଫ କରିଛି। ତାଙ୍କୁ ଦିନକ ପାଇଁ ସିବିଆଇ ହାଜତରେ ରଖାଯାଇଛି। ବିଦେଶ ଗସ୍ତ ସାରି ଆଜି କାର୍ତ୍ତି ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବାପରେ ସିବିଆଇ ସେଠାରୁ ତାଙ୍କୁ ଗିରଫ କରିଥିଲା। କାର୍ତ୍ତିଙ୍କୁ ପରବର୍ତ୍ତୀ ଜେରା ପାଇଁ ଦିଲ୍ଲୀ ନେବା ପୂର୍ବରୁ ତାଙ୍କୁ ଚେନ୍ନାଇର ଏକ ସିବିଆଇ କୋର୍ଟରେ ହାଜର କରାଯାଇଛି। ଅନ୍ୟପକ୍ଷରେ କାର୍ତ୍ତିଙ୍କ ଗିରଫକୁ ନେଇ ଆଜି କଂଗ୍ରେସ ବିଜେପିକୁ କଡ଼ା ସମାଲୋଚନା କରିଛି । ଏଭଳି ଗିରଫଦାରୀ ଗିରଫ ମୋଦି ସରକାରଙ୍କର ପ୍ରତିଶୋଧପୂର୍ଣ୍ଣ ରାଜନୀତି ବୋଲି କଂଗ୍ରେସ କହିଛି। ମୋଦି ସରକାର ନିଜ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପକୁ ଘଣ୍ଟ ଘୋଡ଼ାଇବାକୁ କାର୍ତ୍ତିଙ୍କୁ ଗିରଫ କରିଛିିି ଏବଂ ଏହାଦ୍ୱାରା ପିଏନ୍‌ବି ଦୁର୍ନୀତି ଏବଂ ନିରବ ମୋଦି ପ୍ରସଙ୍ଗକୁ ଗୌଣ କରିବାକୁ ବିଜେପି ଚାଲ୍‌ ଖେଳୁଛି ବୋଲି କଂଗ୍ରେସ କହିଛି। କାର୍ତ୍ତିଙ୍କ ବିରୋଧରେ ଇଡି ଜାରି କରିଥିବା ସମନ୍‌ ଉପରେ ରୋକ୍‌ ଲଗାଇବାପାଇଁ ସେ ନିକଟରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବାର ଠିକ୍‌ ଗୋଟିଏ ସପ୍ତାହ ପରେ ସିବିଆଇ ତାଙ୍କୁ ଗିରଫ କରିଛି। ଏହାପୂର୍ବରୁ କାର୍ତ୍ତିଙ୍କ ଚାର୍ଟାଡ ଆକଉଣ୍ଟାଣ୍ଟ୍‌ଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ଉଲ୍ଲେଖଯୋଗ୍ୟ ୨୦୦୭ ମସିହାରେ ଆଇଏନ୍‌ଏକ୍ସ ମିଡିଆ ଦ୍ୱାରା ବିଦେଶୀ ପ୍ରତ୍ୟକ୍ଷ ପୁଂଜି ନିବେଶରେ ଅନିୟମିତତା ମାମଲାରେ କାର୍ତ୍ତି ସଂପୃକ୍ତ ଥିବା ପ୍ରମାଣ ମିଳିଥିଲା। ସିବିଆଇର ତଥ୍ୟ ମୁତାବକ କାର୍ତ୍ତିଙ୍କ ପିତା ଅର୍ଥମନ୍ତ୍ରୀ ଥିବାବେଳେ ସେ ଅର୍ଥ ମନ୍ତ୍ରାଳୟରେ ନିଜ ପ୍ରଭାବ ବିସ୍ତାର କରି ଆଇଏନ୍‌ଏକ୍ସ ମିଡିଆକୁ ୩ଟି ମରିସସ୍‌ ନିବେଶକଙ୍କଠାରୁ ବିଦେଶୀ ପୁଂଜି ମଞ୍ଜୁର କରାଇବାରେ ସାହାଯ୍ୟ କରିଥିଲେ। କାର୍ତ୍ତି ଏହି ମାମଲାରେ ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣ ମିଳିଥିବା ସିବିଆଇ ଦାବି କରିଛି । ସେହିପରି ଟିକସ ତଦନ୍ତକୁ ଲୁଚାଇବାପାଇଁ ମଧ୍ୟ କାର୍ତ୍ତି ଆଇଏନ୍‌ଏକ୍ସ ମିଡିଆଠାରୁ ଲାଞ୍ଚ ଗ୍ରହଣ କରିଥିଲେ ବୋଲି ସିବିଆଇ ଅଭିଯୋଗ କରିଥିଲା। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଏବଂ ଇଡି କାର୍ତ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉଭୟ ସିବିଆଇ ଏବଂ ଇଡି ଦ୍ୱାରା କାର୍ତ୍ତିଙ୍କ ବାସଭବନ ଏବଂ ଅଫିସରେ ପୂର୍ବରୁ ଅନେକବାର ଚଢ଼ଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ଜବତ କରାଯାଇଛି।

ଇନ୍ଦ୍ରାଣୀ-ପିଟର୍‌ଙ୍କ ସ୍ୱୀକାରୋକ୍ତି, କାର୍ତ୍ତିଙ୍କୁ ଦେଇଛୁ ୩.୧୦ କୋଟି

ଆଇଏନ୍‌ଏକ୍ସ ମିଡିଆ ମାମଲା ନେଇ ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀ ସିବିଆଇ ସମ୍ମୁଖରେ ଚାଂଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଏବଂ କାର୍ତ୍ତିଙ୍କ ‘ଚେସ ମ୍ୟାନେଜମେଣ୍ଟ କମ୍ପାନି’ ମଧ୍ୟରେ ବେଆଇନ ଚୁକ୍ତି ଏବଂ ଅର୍ଥ ନେଣଦେଣ ହୋଇଥିବା ଉଭୟେ ସ୍ୱୀକାର କରିଛନ୍ତି। ଆଇଏନ୍‌ଏକ୍ସ ମିଡିଆର ପୂର୍ବତନ ନିର୍ଦ୍ଦେଶକ ଇନ୍ଦ୍ରାଣୀ ଏବଂ ତାଙ୍କ ସ୍ୱାମୀ ପିଟର ମୁଖାର୍ଜୀ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶ ନେଇ ବିଦେଶୀ ପୁଂଜି ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ମଞ୍ଜୁରି ନିମନ୍ତେ କାର୍ତ୍ତିଙ୍କ ଚେସ୍‌ ମ୍ୟାନେଜମେଣ୍ଟ ସର୍ଭିସ୍‌ର ସହାୟତା ନେଇଥିଲେ। ସେମାନେ ୩୦୫ କୋଟି ଟଙ୍କାର ଏଫଆଇପିବି ମଞ୍ଜୁରି ପାଇଁ ଆବେଦନ କରିଥିଲେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ପରେ ସେମାନେ କାର୍ତ୍ତିଙ୍କ ସହଯୋଗରେ ୩୦୫ କୋଟି ଟଙ୍କାର ଏଫଆଇପିବି ମଞ୍ଜୁରି ପାଇ ପାରିଥିଲେ। ଏନେଇ କାର୍ତ୍ତିଙ୍କୁ ସେମାନେ ୩ କୋଟି ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ବୋଲି ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀ ସିବିଆଇ ଜେରା ସମୟରେ ପ୍ରକାଶ କରିଛନ୍ତି। ମେ’ ୨୦୧୭ ମସିହାରେ କାର୍ତ୍ତି ଆଇଏନ୍‌ଏକ୍ସ ମିଡିଆକୁ ଏଫଆଇପିବି ମଞ୍ଜୁରି ଦେଇଥିବା ନେଇ ତାଙ୍କ ବିରୋଧରେ ସିବିଆଇ ଦୁର୍ନୀତି ମାମଲା ରୁଜୁ କରିଥିଲା। କାର୍ତ୍ତି ଏଫଆଇପିବି ମଞ୍ଜୁରି ପାଇଁ ବେଆଇନ ଭାବେ ସର୍ଭିସ ଚାର୍ଜ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ପିଟର ଏବଂ ଇନ୍ଦ୍ରାଣୀଙ୍କ ବୟାନ ଆଧାରରେ କାର୍ତ୍ତି ଆଜି ଗିରଫ ହୋଇଛନ୍ତି।

ସମ୍ବନ୍ଧିତ ଖବର