ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବି ପାଇଁ ୧୦ ଜଣଙ୍କ ନାମ ସୁପାରିଶ କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ସୁପ୍ରମ୍‌କୋର୍ଟରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ମାମଲାର ବିଚାର ଚାଲିଥିବା ବେଳେ ସିବିଆଇ ଏହାର ପରବର୍ତ୍ତୀ ମୁଖ୍ୟଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି। ୨୦୧୯ ମସିହା ଜାନୁଆରି ୩୧ ତାରିଖ ଦିନ ଶ୍ରୀ ବର୍ମା ଅବସର ନେବେ। ଯଦିଓ ସରକାର ସିବିଆଇ ନିର୍ଦ୍ଦେଶକ ଶ୍ରୀ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାମେଶ ଅସ୍ଥାନା ପରସ୍ପରଆଡ଼କୁ ଦୁର୍ନୀତି ନେଇ ଆଙ୍ଗୁଳି ଉଠାଇବା ପରେ ଉଭୟଙ୍କୁ ଛୁଟିରେ ପଠାଇ ଦେଇଛନ୍ତି। ତଥାପି ୨୦୧୯ ଜାନୁଆରି ମାସ ୩୧ ତାରିଖ ସୁଦ୍ଧା ସିବିଆଇର ନୂଆ ନିର୍ଦ୍ଦେଶକଙ୍କ ନାମ ଚୁଡ଼ାନ୍ତ ପାଇଁ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏଥିପାଇଁ କାର୍ମିକ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଗୃହ ମନ୍ତ୍ରଣାଳୟ ୧୦ ଜଣ ଆଇପିଏସଙ୍କ ନାମ ସୁପାରିସ କରିଛି।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ କମିଟି ଏହି ସଂଘୀୟ ତଦନ୍ତ ସଂସ୍ଥ୍‍ାର ନିର୍ଦ୍ଦେଶକଙ୍କୁ ଚୟନ କରିଥାନ୍ତି। ନୂଆ ନିର୍ଦ୍ଦେଶକଙ୍କୁ ଚୟନ କରିବା କ୍ଷେତ୍ରରେ ୨୦୦୪ ମସିହାରେ ସୁପ୍ରିମକୋର୍ଟର ଗାଇଡଲାଇନ ଅନୁଯାୟୀ ଯେଉଁ ମାନଦଣ୍ଡକୁ ବିଚାରକୁ ନିଆଯାଇଥାଏ ସେଥିମଧ୍ୟରେ ବରିଷ୍ଠତା, ଦୁର୍ନୀତି ମାମଲା ତଦନ୍ତ କରିବାର ଦକ୍ଷତା ଓ ଅଭିଜ୍ଞତା ସହିତ ନିଷ୍ଠା ଓ ସାଧୁତାକୁ ବିଚାରକୁ ନିଆଯାଇଥାଏ। ଦୁର୍ନୀତି ମାମଲା ତଦନ୍ତ କରିବାର ଦକ୍ଷତା ଓ ଅଭିଜ୍ଞତା କ୍ଷେତ୍ରରେ ସିବିଆଇ କିମ୍ବା ଭିଜିଲାନ୍ସର ଅଭିଜ୍ଞତାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ ଟ୍ରେନିଂ ପକ୍ଷରୁ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବି ପାଇଁ ଯେଉଁମାନଙ୍କ ଉପରେ ନଜର ରଖାଯାଇଛି ସେମାନଙ୍କ ମଧ୍ୟରେ ଗୃହମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ତଥା ୧୯୮୩ ବ୍ୟାାଚ୍‌ର ଆଇପିଏସ ରୀନା ମିତ୍ର, ୧୯୮୪ ବ୍ୟାଚ୍‌ର ବିଏସଏଫ ମୁଖ୍ୟ ରଜନୀକାନ୍ତ ମିଶ୍ର, ଏନଆଇଏ ମୁଖ୍ୟ ଓ୍ଵାଇ ସି ମୋଦି, ଇଣ୍ଡୋ ତିବତାନ ପୁଲିସ ମୁଖ୍ୟ ଏସଏସ ଦେଶଓ୍ଵାଲ, ସିଆଇଏସଏଫ ମୁଖ୍ୟ ରାଜେଶ ରଞ୍ଜନ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିମିନୋଲୋଜି ଆଣ୍ଡ ଫରେନ୍‌ସିକ ସାଇନ୍ସର ନିର୍ଦ୍ଦେଶକ ଜାଭେଦ ଅହମ୍ମଦ, ର’ର ସ୍ୱତନ୍ତ୍ର ସଚିବ ବିବେକ ଜୋହରୀ, ୧୯୮୫ ବ୍ୟାଚ୍‌ର ରାଜସ୍ଥାନ ପୁଲିସ ମୁଖ୍ୟ ଓପି ମାଲହୋତ୍ରା, ଆରପିଏଫ ମୁଖ୍ୟ ଅରୁଣ କୁମାର, ୟୁପି ପୁଲିସ ମହାନିର୍ଦ୍ଦେଶକ ସ୍ତରୀୟ ଅଧିକାରୀ ଏଚ ସି ଅଓ୍ଵସ୍ତିଙ୍କ ନାମ ଶୁଣା ଯାଉଛି। ଏହି ଅଧିକାରୀମାନଙ୍କର ସିବିଆଇରେ କାର୍ଯ୍ୟ କରିବାର ଅଭଜ୍ଞତା ରହିଛି।

କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦବି ପାଇଁ ୧୯୮୨ରୁ ୧୯୮୫ ବ୍ୟାଚ୍‌ର ଆଇପିଏସ ଅଧିକାରୀଙ୍କ ନାମ ସୁପାରିସ କରିବାକୁ ଚିଠି ଲେଖାଯାଇଥିଲା। ଏହି ଚିଠି ଆଧାରରେ ଗୃହ ମନ୍ତ୍ରାଳୟ ଏହି ସବୁ ଅଧିକାରୀଙ୍କ ନାମ କାର୍ମିକ ମନ୍ତ୍ରାଳୟକୁ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର