ସିଭିସିଙ୍କ ତଦନ୍ତ ରିପୋର୍ଟ ଉପରେ ନିଜର ପକ୍ଷ ଓ ମତ ଜଉମୁଦ ଲଫାପାରେ ସୁପ୍ରିମ୍‌ କୋର୍ଟରେ ଦାଖଲ କଲେ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଲାଞ୍ଚ ମାମଲାରେ ଅଭିଯୁକ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ତଦନ୍ତ କରି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସୁପ୍ରିମ୍‌ କୋର୍ଟରେ ଯେଉଁ ରିପୋର୍ଟ ଦାଖଲ କରିଥିଲେ ତା’ଉପରେ ଅଭିଯୁକ୍ତ ଆଲୋକ ବର୍ମା ତାଙ୍କର ପକ୍ଷ ଓ ମତ ଏକ ଜଉମୁଦ ଲଫାପାରେ ପୂରାଇ ଆଜି ଅପରାହ୍ଣରେ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସଂପର୍କରେ ତଦନ୍ତ କରିବା  କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)ଙ୍କୁ ନିର୍ଦ୍ଦେଶ ଦେବା ସହ ତଦନ୍ତ ରିପୋର୍ଟକୁ ସୁପ୍ରିମ୍‌ କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିଭିସି ତାଙ୍କ ରିପୋର୍ଟ ଗତ ୧୬ ତାରିଖ ଦିନ କୋର୍ଟରେ ଉପସ୍ଥାପିତ କରିଥିଲେ। ଏହାପରେ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗେଇ ସିଭିସିଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟର ନକଲ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଏକ ଜଉମୁଦ ଲଫାପାରେ ପ୍ରଦାନ କରିବା ସହ ରିପୋର୍ଟ ଉପରେ ଯଦି କିଛି କହିବାର ଥାଏ ତେବେ, ଆସନ୍ତା ସୋମବାର ଦିନ ଗୋଟାଏ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ, ସିବିଆଇ ନିର୍ଦ୍ଦେଶକଙ୍କ ଓକିଲ ଆଜି ପୂର୍ବାହ୍ଣରେ ମୁଖ୍ୟବିଚାପତିଙ୍କ କୋର୍ଟରେ ଉପସ୍ଥିତ ହୋଇ ସିଭିସିଙ୍କ ତଦନ୍ତ ରିପୋର୍ଟ ଉପରେ ଉତ୍ତର ରଖିବା ପାଇଁ ଆଉ କିଛିଦିନର ଆବଶ୍ୟକତା ଥିବା ଦର୍ଶାଇ, ଏହି ମାମଲାର ଶୁଣାଣିକୁ ସାମୟିକ କାଳ ପାଇଁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। କିନ୍ତୁ, ଏହି ମାମଲାର ଶୁଣାଣିକୁ କୌଣସି ମତେ ସ୍ଥଗିତ ରଖାଯାଇ ପାରିବ ନାହିଁ କିମ୍ବା ଶୁଣାଣି ପାଇଁ ଧାର୍ଯ୍ୟ ତାରିଖକୁ ମଧ୍ୟ କୌଣସି ପରିସ୍ଥିତିରେ ବଦଳା ଯାଇ ପାରିବ ନାହିଁ ବୋଲି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଆଜି ସ୍ପଷ୍ଟ କରି ଦେବା ସହ ଆଉ ଅତିରିକ୍ତ ୩ ଘଣ୍ଟାର ସମୟ ଦେଇଥିଲେ। ସିଭିସିଙ୍କ  ରିପୋର୍ଟ ଉପରେ ଯଦି କିଛି କହିବାର ଥାଏ ତେବେ, ଆଜି (ସୋମବାର) ଅପରାହ୍ଣ ୪ଟା ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୨୦ ତାରିଖ ମଙ୍ଗଳବାରକୁ ଧାର୍ଯ୍ୟ କରିଥଲେ।

ସୁପ୍ରିମ୍‌ କୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଏ ନିର୍ଦ୍ଦେଶ ପରେ ସିଭିସିଙ୍କ ରିପୋର୍ଟ ଉପରେ ନିଜର ପକ୍ଷ ରଖି ଅଭିଯୁକ୍ତ ଆଲୋକ ବର୍ମା ତାଙ୍କର  ଉତ୍ତର ଏକ ଜଉମୁଦ ଲଫାପାରେ କୋର୍ଟରେ ଅପରାହ୍ଣ ୪ଟା ପୂର୍ବରୁ କୋର୍ଟରେ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର