ସୁପ୍ରିମ୍‌ କୋର୍ଟରେ ସିବିଆଇ ମାମଲା:ମନ୍ତ୍ରୀ, ଡୋଭଲ୍‌ଙ୍କୁ ଟାଣିଲେ ସିବିଆଇ ଅଧିକାରୀ

ମନ୍ତ୍ରୀ ଲାଞ୍ଚ ନେଇଛନ୍ତି O ଡୋଭଲ୍‌ ହସ୍ତକ୍ଷେପ କରୁଛନ୍ତି O ଜବାବ ଦାଖଲ କଲେ ବର୍ମା O ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ସିବିଆଇ ବିବାଦରେ ଆଜି ନୂଆ ମୋଡ଼ ଆସିଛି। ଏହାର ଜଣେ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କ ବି‌ରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି। ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସିହ୍ନାଙ୍କ ମାମଲ‌ାରେ ହସ୍ତକ୍ଷେପ କରିଥିବା ଜଣେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ କିଛି କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା ଏବଂ ମାମଲାରେ ଅଜିତ୍‌ ଡୋଭଲ୍‌ ମଧ୍ୟ ବହୁବାର ହସ୍ତକ୍ଷେପ କରିଥିବା ସିବିଆଇ ଅଧିକାରୀ ମନୀଷ କୁମାର ସିହ୍ନା ଅଭିଯୋଗ ଆଣିଛନ୍ତି।
ସିହ୍ନା କହିଛନ୍ତି ଯେ ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ହୋଇଥିବା ଲାଞ୍ଚ ମାମଲାରେ ତଦନ୍ତ ଚାଲିଥିବା ବେଳେ ରାଷ୍ଟ୍ରୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‌ ଡୋଭଲ୍‌ ହସ୍ତକ୍ଷେପ କରିଥିଲେ। ମାମଲାରେ ଅନେକ ସ୍ଥାନରେ ଚଢ଼ଉ କରାଯିବା ଜରୁରି ହୋଇପଡ଼ିଥିବା ବେଳେ ଡୋଭଲ୍‌ ଏଥିରେ ବାଧା ସୃଷ୍ଟି କରିଥିଲେ। ଫଳରେ ଏହା ସମ୍ଭବ ହୋଇପାରିନଥିଲା। ଅସ୍ଥାନାଙ୍କ ବିରୋଧରେ ତଦନ୍ତ ଶେଷ ହେବାକୁ ଥିବା ବେଳେ ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବଦଳି କରାଯାଇଥିଲା ବୋଲି ସିହ୍ନା ଦର୍ଶାଇଛନ୍ତି। ଏମିତି କି ଏ ବାବଦରେ ତାଙ୍କ ନିକଟରେ ଠୋସ୍‌ ଦସ୍ତାବିଜ ରହିଛି ଏବଂ ଏହା ସୁପ୍ରିମ୍‌ କୋର୍ଟଙ୍କୁ ଚମକାଇ ଦେବ ବୋଲି ସେ କହିଥିଲେ। ଏହାକୁ ଆଖିରେ ରଖି ମାମଲାର ତ୍ବରିତ୍‌ ଶୁଣାଣି ହେବା ଆବଶ୍ୟକ ବୋଲି ସେ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ତାଙ୍କ ଅନୁରୋଧକୁ ଖାରଜ କରିବା ସହ ସୁପ୍ରିମ୍‌ କୋର୍ଟ କୌଣସି ମାମଲା‌ରେ ଆଦୌ ଚମକନ୍ତି ନାହିଁ ବୋଲି ରୋକ୍‌ଠୋକ୍‌ କହିଥିଲେ।
ସିବିଆଇ ଅଧିକାରୀ ସିହ୍ନା ଆହୁରି କହିଛନ୍ତି ଯେ ଲାଞ୍ଚ ମାମଲାରେ ଦୁଇଜଣ ଦଲାଲ ଡୋଭଲ୍‌ଙ୍କର ଖାସ୍‌ ଲୋକ ଥିଲେ। ସେମାନେ ନିୟମିତ ଭାବେ ଡୋଭଲ୍‌ଙ୍କୁ ସବୁ ଖବର ଜଣାଉଥିଲେ। ଏହାପରେ ଡୋଭଲ୍‌ ତାଙ୍କ ଆଡ଼ୁ ମାମଲାରେ ହସ୍ତକ୍ଷେପ କରୁଥିଲେ। ସିବିଆଇର ଏଭଳି ସମ୍ବେଦନଶୀଳ ମାମଲାକୁ ପ୍ରଭାବିତ କରିବା ପାଇଁ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ହରିଭାଇ ପାର୍ଥିଭାଇ ଚୌଧୁରୀଙ୍କୁ ଲାଞ୍ଚ ଦିଆଯାଇଥିଲା। ଗୁଜରାଟ ସାଂସଦ ଚୌଧରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜଣେ ନିକଟତମ ସହଯୋଗୀ ଥିବାରୁ ସେ ସିବିଆଇ ମାମଲାରେ ହସ୍ତକ୍ଷେପ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ସିବିଆଇ ମାମଲା ପରିଚାଳନା କରୁଥିଲା ବୋଲି ସିହ୍ନା ଅଭିଯୋଗ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରାକେଶ ଅସ୍ଥାନାଙ୍କ ବିରୋଧରେ ହୋଇଥିବା ୩ କୋଟି ଟଙ୍କାର ଲାଞ୍ଚ ମାମଲାରେ ସିହ୍ନା ତଦନ୍ତ କରୁଥିଲେ। କିନ୍ତୁ ତଦନ୍ତ ଜାରି ରହିଥିବା ବେଳେ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌ ନାଗେଶ୍ବର ରାଓ ତାଙ୍କୁ ନାଗପୁର ବଦଳି କରିଥିଲେ। ଏ ବାବଦରେ ମନୀଷ କହିଛନ୍ତି, ଅସ୍ଥାନା ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସନାଙ୍କଠାରୁ ଲାଞ୍ଚ ନେଇଥିଲେ। ଏମିତି କି ଜଣେ ମନ୍ତ୍ରୀଙ୍କୁ ମଧ୍ୟ କିଛି ଲାଞ୍ଚ ଦିଆଯାଇଥିଲା। ମାମଲାରେ ମନ୍ତ୍ରୀ ଓ ଅନ୍ୟ ବରି‌ଷ୍ଠ ଅଧିକାରୀଙ୍କୁ ଟଣାଯିବା ପରେ ବିବାଦ ଆହୁରି ବଢ଼ିଯାଇଛି। ତେବେ ଏ ବାବଦରେ ମନ୍ତ୍ରୀ ଓ ଡୋଭଲ୍‌ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସିବିଆଇ ମାମଲାରେ ସିଭିସି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟକୁ ଆଧାର କରି ଆଲୋକ ବର୍ମା ଆଜି ସୁପ୍ରିମ୍‌ କୋର୍ଟରେ ନିଜ ଜବାବ ଜଉମୁଦ ଲଫାପାରେ ଦାଖଲ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ହେବ। ସୋମବାର ଜବାବ ଦାଖଲ ପାଇଁ ସିବିଆଇ ନିର୍ଦ୍ଦେଶକ ବର୍ମାଙ୍କୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ସକା‌ଳେ ଜବାବ ଦାଖଲ ପାଇଁ ସେ ଅଧିକ ସମୟ ଲୋଡ଼ିଥିଲେ। ଏହାକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ଫଳରେ ବାଧ୍ୟହୋଇ ଆଜି ଅପରାହ୍ନରେ ବର୍ମା ନିଜ ଜବାବ ଦାଖଲ କରିଛନ୍ତି। ଉଲ୍ଲେଖଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ହୋଇଥିବା ଲାଞ୍ଚ ମାମଲାରେ ସିଭିସି ନିଜ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର