ସିଭିସିଙ୍କୁ ଭେଟିଲେ ଲାଞ୍ଚ ଅଭିଯୁକ୍ତ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା; ରଖିଲେ ନିଜ ନିଜର ସଫେଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗର ତଦନ୍ତ କରୁଥିବା ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର (ସଭିସି) କେ ଭି ଚୌଧୁରୀଙ୍କୁ ଆଜି ଉଭୟ ଅଭିଯୁକ୍ତ ନିର୍ଦ୍ଦେଶକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନା ଭେଟିବା ସହ ଏହି ମାମଲାରେ ତାଙ୍କ ସମ୍ମୁଖରେ ନିଜ ନିଜର ପକ୍ଷ ରଖିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଅଲଗା ଅଲଗା ଆସି ସଭିସି କେ ଭି ଚୌଧୁରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ, ସେମାନେ ସିଭିସିଙ୍କ ପ୍ରକୋଷ୍ଠ ମଧ୍ୟକୁ ଯାଇ ସେମାନଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗର ତଦନ୍ତ କରୁଥିବା ସିଭିସିଙ୍କ ଜେରାର ସମ୍ମୁଖୀନ ହୋଇଥିଲେ। ସିଭିସି ପ୍ରାୟ ଦୀର୍ଘ ଏକ ଘଣ୍ଟା ଧରି ଉଭୟଙ୍କୁ ଜେରା କରିଥିଲେ। ସିଭିସିଙ୍କ ଜେରାର ସମ୍ମୁଖୀନ ହୋଇ ଫେରିବା ପରେ ଉଭୟେ ଯାଇ ଭିଜିଲାନ୍ସ କମିଶନର ଶରଦ କୁମାରଙ୍କୁ ଭେଟି ନିଜ ନିଜର ସଫେଇ ପେସ୍‌ କରିଥିଲେ।

ସିଭିସିଙ୍କ କାର୍ଯ୍ୟାଳୟରୁ ଫେରିବା ସମୟରେ ସେଠାରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ଘେରିଯାଇ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିଥିଲେ ମଧ୍ୟ ସେମାନେ କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ତେବେ, ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସିଭିସିଙ୍କ ଜେରା କାଳରେ ଉଭୟେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ସେମାନଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ମିଥ୍ୟା ସଂପୂର୍ଣ୍ଣ ଥିବା ଯୁକ୍ତି କରିବା ସହ ସେମାନଙ୍କ ଯୁକ୍ତି ସପକ୍ଷରେ କିଛି ଦଲିଲ୍‌ ସିଭିସିଙ୍କୁ ଦେଖାଇ ଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ ଏହାକୁ କେନ୍ଦ୍ରକରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ପରିସ୍ଥିତିରେ କେନ୍ଦ୍ର ସରକାର ଉଭୟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇଦେବା ସହ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ। ତେବେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ନିର୍ଦ୍ଦେଶକ ବର୍ମା ସୁପ୍ରିମ୍‌ କୋର୍ଟ ଦ୍ୱାରସ୍ଥ ହେବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଏହି ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱରରାଓଙ୍କ ନିଯୁକ୍ତିକୁ ଖାରଜ କରି ଦେଇଥିଲେ। ଏଥିସହ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ସଂପର୍କରେ ସୁପ୍ରିମ୍‌ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସିଭିସି କେ ଭି ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୨ ତାରିଖ ସୋମବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗୋଇ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର