ରିମାଣ୍ଡ ଅବଧି ସମୟରେ ପି. ଚିଦାମ୍ବରମଙ୍କୁ ଦିନକୁ ୩୦ ମିନିଟ ଦେଖା କରିପାରିବେ ପରିବାର ଲୋକେ ଓ ଓକିଲ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଠାରୁ ୫ ଦିନିଆ ରିମାଣ୍ଡରେ ନେଇଛି। ଏହି ୫ ଦିନିଆ ରିମାଣ୍ଡ ସମୟରେ ପି. ଚିଦାମ୍ବରମଙ୍କୁ ସିବିଆଇ ଅଧିକ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ପି. ଚିଦାମ୍ବରମଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ଆଜି କୋର୍ଟଙ୍କ ନିକଟରେ ଆବେଦନ କରିଥିଲା।

ଚିଦାମ୍ବରମ ଅଗଷ୍ଟ ୨୬ ଯାଏଁ ସିବିଆଇ ହେପାଜତରେ ରହିବେ। ଏହାରି ଭିତରେ ପ୍ରତିଦିନ ୩୦ ମିନିଟ ପାଇଁ ତାଙ୍କର ଓକିଲ ପି. ଚିଦାମ୍ବରମଙ୍କୁ ଭେଟିପାରିବେ। ସେହିଭଳି ପରିବାର ଲୋକେ ମଧ୍ୟ ଚିଦାମ୍ବରମଙ୍କୁ ଦୈନିକ ହିସାବରେ ୩୦ ମିନିଟ ଲେଖାଏଁ ଦେଖାକରିପାରିବେ ବୋଲି ମଞ୍ଜୁରୀ ହୋଇଛି।

ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦମ୍ବରମ୍‌ଙ୍କ ଶୁଣାଣି ଚାଲିଥିବା ବେଳେ କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଶୁଣାଣି କାଳରେ ଚିଦମ୍ବରମଙ୍କ ପତ୍ନୀ ନଳିନୀ ଓ ପୁତ୍ର କାର୍ତ୍ତୀ ଚିଦମ୍ବରମ ମଧ୍ୟ ଅଦାଲତରେ ଉପସ୍ଥିତ ଥିଲେ। ଅଦାଲତରେ ଚିଦମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ମାମଲା ପରିଚାଳନା କରିଥିବା ବେଳେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ।

ଆଜିର ଶୁଣାଣି କାଳରେ ପି ଚିଦମ୍ବରମଙ୍କ ସପକ୍ଷରେ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ନିଜ ନିଜ ଯୁକ୍ତି ଉପସ୍ଥାପନ କରି ସାରିବା ପରେ ନିଜେ ଚିଦମ୍ବରମ୍‌ ନିଜ ପକ୍ଷ ଅଦାଲତଙ୍କ ସମ୍ମୁଖରେ ରଖିବାକୁ ଚାହିଁଥିଲେ। ହେଲେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାର ବିରୋଧ କରିଥିଲେ। କିନ୍ତୁ, ସିବିଆଇ ବିଚାରପତି ଚିଦମ୍ବରମଙ୍କୁ ନିଜ ପକ୍ଷ ରଖିବାକୁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର