ସିବିଆଇ ବିବାଦ:ସୁପ୍ରିମ୍‌ କୋର୍ଟରେ ହାଇଡ୍ରାମା

ସିଭିସି ରିପୋର୍ଟ ଲିକ୍‌ ନେଇ ପ୍ରଧାନ ବିଚାରପତି କ୍ଷୁବ୍ଧ, ଶୁଣାଣି ପାଇଁ ମନାକଲେ

ନୂଆଦିଲ୍ଲୀ: ସିବିଆଇ ମାମଲାର ଶୁଣାଣି ବେଳେ ଆଜି ସୁପ୍ରିମ୍‌ କୋର୍ଟରେ ହାଇଡ୍ରାମା ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କ୍ରୋଧାନ୍ବିତ ହୋଇ ପକ୍ଷମାନଙ୍କୁ ଭର୍ତ୍ସନା କରିଥିଲେ। ୧୦ଟା ୩୦ରେ ଶୁଣାଣି ଆରମ୍ଭ ହେବା କ୍ଷଣି ଜଷ୍ଟିସ୍‌ ଗୋଗୋଇ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଓକିଲ ଫଲି ଏସ୍‌ ନରିମାନ୍‌ଙ୍କୁ ଡାକି ଏକ କାଗଜ ଧରାଇଥିଲେ। ଏହାକୁ ଶୀଘ୍ର ପଢ଼ିବା ପାଇଁ କହିଥିଲେ। ଏହାପରେ ନରିମାନ୍‌ଙ୍କ ଉପରେ ପ୍ରବଳ ବର୍ଷିଥିଲେ। ସିଭିସି ରିପୋର୍ଟକୁ ଆଧାର କରି ବର୍ମା ନିଜ ଜବାବ ଜଉମୁଦ ଲଫାପାରେ ଦେବାର ଥିଲା ବେଳେ ଏହା କିଭଳି ଲିକ୍‌ ହେଲା ବୋଲି ପ୍ରଶ୍ନ କରିଥିଲେ। ନରିମାନ୍‌ଙ୍କ ମୁହଁରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଜଷ୍ଟିସ୍‌ ଗୋଗୋଇ ଆହୁରି କ୍ରୋଧିତ ହୋଇଥିଲେ। ଏହାପରେ ଶୁଣାଣିକୁ ନଭେମ୍ବର ୨୯କୁ ଘୁଞ୍ଚାଇ ଦେଇଥିଲେ।
ସିଭିସି ରିପୋର୍ଟ ଓ ବର୍ମାଙ୍କ ଜବାବ ଲିକ୍‌ ହେବା ଘଟଣାରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଗୋଗୋଇ ଶୁଣାଣି ପାଇଁ ମନାକରିଥିଲେ। ତ୍ବରିତ୍‌ ଶୁଣାଣି ପାଇଁ କେହି ଯୋଗ୍ୟ ନୁହନ୍ତି ବୋଲି ସେ ସିଧାସିଧା କହିଥିଲେ। ଏହାପରେ କୋର୍ଟ ରୁମ୍‌ ନିସ୍ତବ୍ଧ ହୋଇଯାଇଥିଲା। ବର୍ମାଙ୍କ ଓକିଲ ନରିମାନ୍‌ କିଛି ସମୟ ଚୁପ୍‌ ରହିବା ପରେ ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନର ଜବାବ ଦେଇ କହିଥି‌ଲେ ଯେ ରିପୋର୍ଟ ଲିକ୍‌ ହେବା ବାବଦରେ ସେ କିଛି ଜାଣନ୍ତି ନାହିଁ। ଏହାକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିବା ସହିତ ରିପୋର୍ଟ ପ୍ରଘଟ କରିଥିବା ଲୋକଙ୍କୁ କୋର୍ଟରେ ହାଜର କରାଯିବା ଆବଶ୍ୟକ ବୋଲି କହିଥିଲେ। ଏହା ଶୁଣି ଜଷ୍ଟିସ୍‌ ଗୋଗୋଇ ଆହୁରି ରାଗିଯାଇଥିଲେ। ସେ କହିଥି‌ଲେ ଯେ ସୁପ୍ରିମ୍‌ କୋର୍ଟ ନରିମାନ୍‌ଙ୍କୁ ବର୍ମା‌ଙ୍କ ଓକିଲ ଭାବେ ନୁହେଁ, ବରଂ ଜଣେ ବରିଷ୍ଠ ତଥା ଦାୟିତ୍ବସମ୍ପନ୍ନ ଆଇନଜୀବୀ ଭାବି ତା‌ଙ୍କୁ ସିଭିସି ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ନରିମାନ୍‌ ନିଜ ଦାୟିତ୍ବ ସମ୍ଭାଳିବାରେ ବିଫଳ ହୋଇଛନ୍ତି। ତେବେ ବର୍ମାଙ୍କ ଜବାବ ପ୍ରଘଟ କରିଥିବା ଏକ ପୋର୍ଟାଲ୍‌ ଓ ସମ୍ପୃକ୍ତ ସାମ୍ବାଦିକଙ୍କୁ କୋର୍ଟ ସମନ୍‌ ଜାରି କରିଛନ୍ତି।
ସିବିଆଇ ଅନ୍ତଃକନ୍ଦଳର ପ୍ରତିକାର ଜରୁରି ହୋଇପଡ଼ିଥିବା ବେଳେ ବିବାଦ କିନ୍ତୁ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଏହି ବିବାଦ ଆହୁରି ଜଟିଳ ହେବାରେ ଲାଗିଛି। ଗତକାଲି ସିବିଆଇର ଡିଆଇଜି ମନୀଷ କୁମାର ସିହ୍ନା ମାମଲାରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କୁ ଟାଣିବା ପରେ ଆଜି ସୁପ୍ରିମ୍‌ କୋର୍ଟରେ ଏଭଳି ଘଟଣାକ୍ରମ ବିବାଦକୁ ଅଧିକ ଜଟିଳ କରିଛି। ଫ‌ଳରେ ସିବିଆଇ ବିବାଦର ଫଏସଲା ଆହୁରି ବିଳମ୍ବ ହେବ। ଉଲ୍ଲେଖଯୋଗ୍ୟ, ସିବିଆଇ ନିର୍ଦ୍ଦେଶକ ବର୍ମାଙ୍କ ବିରୋଧରେ ହୋଇଥିବା ଲାଞ୍ଚ ମାମଲାର ତଦନ୍ତ କରି ସିଭିସି (ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିସନ୍‌) ନିଜ ରିପୋର୍ଟ ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଦାନ କରିଥିଲା। ରିପୋର୍ଟକୁ ଆଧାର କରି ବର୍ମାଙ୍କୁ ନିଜ ଜବାବ ରଖିବା ପାଇଁ ଅକ୍ଟୋବର ୧୬ ତାରିଖରେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ତେଣୁ ବର୍ମା ଗତକାଲି ଅପରାହ୍ନରେ ନିଜ ଜବାବ ରଖିଥିଲେ। ସିଭିସି ନିଜ ରିପୋର୍ଟରେ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌ ନାଗେଶ୍ବର ରାଓଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ। ସିବିଆଇରେ ରାଓ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବ ଶୁଣାଣିରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର