ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ବିଲେଇ ଭଳି କଳି କରୁଥିଲେ। ସେମାନଙ୍କର ଏହି କଳି ତଦନ୍ତ ଏଜେନ୍ସିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଫଳରେ କାର୍ଯ୍ୟାନୁଷ୍ଠାନ ଜରୁରି ହୋଇପଡ଼ିଥିଲା। ତେଣୁ ଅନ୍ୟ କୌଣସି ଉପାୟ ନପାଇ ସିବିଆଇର ଏହି ଶୀର୍ଷ ଦୁଇ ଅଧିକାରୀଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ପଠାଇବାକୁ ପଡ଼ିଲା। ସରକାର ନିଜ କ୍ଷେତ୍ରାଧିକାରରେ ରହି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ସୁପ୍ରିମ୍ କୋର୍ଟରେ କେନ୍ଦ୍ର ସରକାର ସିବିଆଇ ମାମଲାରେ ବୁଧବାର ଏହି ସଫେଇ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ୍ କେ କେ ବେଣୁଗୋପାଳ ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି, ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ମା ଓ ଅସ୍ଥାନାଙ୍କ ମଧ୍ୟରେ ଦୂରତା ବଢ଼ିଯାଇଥିଲା। ଅଧିକାଂଶ ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଝଗଡ଼ା କ୍ରମେ ଅଧିକ ଘନୀଭୂତ ହେବା ପରେ ଦେଶରେ ଏହା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥିଲା। ସିବିଆଇର ଭାବମୂର୍ତ୍ତି ଏହାଦ୍ବାରା ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଥିଲା। ଉଭୟଙ୍କ ମଧ୍ୟରେ ଏହି ଝଗଡ଼ା କମିବାର ସମ୍ଭାବନା ନଥିବା ଦେଖି ଶେଷରେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ସିବିଆଇର ଏହି ଦୁଇ ପ୍ରମୁଖ ଅଧିକାରୀଙ୍କୁ ସରକାର କାହିଁକି ଛୁଟିରେ ପଠାଇଲେ, ତାହାର ଜବାବ ଦେବାକୁ ଯାଇ ଆଟର୍ଣ୍ଣି ଜେନେରାଲ୍ ବେଣୁଗୋପାଳ ଏହା ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସନାଙ୍କଠାରୁ ରାକେଶ ଅସ୍ଥାନା ୩ କୋଟି ଟଙ୍କା ଲାଞ୍ଚ ନେଇଥିବା ସିବିଆଇ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହା ପୂର୍ବରୁ ଅସ୍ଥାନା ବର୍ମାଙ୍କ ବିରୋଧରେ ସିଭିସି ନିକଟରେ ଅଭିଯୋଗ କରିଥିଲେ ଯେ ବର୍ମା ସନାଙ୍କଠାରୁ ୨ କୋଟି ଟଙ୍କା ଲାଞ୍ଚ ନେଇଥିଲେ। ଉଭୟ ପରସ୍ପରକୁ ଏଭଳି କାଦୁଅଫିଙ୍ଗା ଆରମ୍ଭ କରିବା ପରେ ବିବାଦ ବଢ଼ିବାରେ ଲାଗିଥିଲା। ବିବାଦ ବଢ଼ିବାରୁ ସରକାର ବର୍ମା ଓ ଅସ୍ଥାନାଙ୍କୁ ଛୁଟିରେ ପଠାଇଥିଲେ ଏବଂ ଏମ୍ ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ। ଏହାପରେ କେନ୍ଦ୍ର ନିଷ୍ପତ୍ତି ବିରୋଧରେ ବର୍ମା ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜାନୁଆରି ୩୧ରେ ବର୍ମାଙ୍କ ଦୁଇବର୍ଷିଆ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ସେ ନିଜକୁ ସ୍ବଚ୍ଛ ପ୍ରମାଣିତ କରି ପୁଣି ସିବିଆଇକୁ ଫେରିବାକୁ ଚାହୁଛନ୍ତି।