ତିନି ଦୁର୍ନୀତି ଅଭିଯୁକ୍ତଙ୍କୁ  କେରଳ ରିଲିଫ ପାଣ୍ଠିରେ ୪୫,୦୦୦ ଟଙ୍କା ଦାନ କରିବାକୁ କହିଲେ ସିବିଆଇ ଅଦାଲତ

ଚଣ୍ଡିଗଡ଼: କେରଳରେ ପ୍ରଳୟଙ୍କାରୀ ବନ୍ୟା ପରେ ସମଗ୍ର ଦେଶରୁ ସେଠାକାର ବନ୍ୟା ପ୍ରପୀଡ଼ିତଙ୍କ ଲାଗି ସାହାଯ୍ୟର ସୁଅ ଛୁଟିଥିବା ବେଳେ ପଞ୍ଚକୁଲାର ଏକ ଅଦାଲତ ଜରିମାନା ସ୍ୱରୂପ  ୩ ଦୁର୍ନୀତି ଅଭିଯୁକ୍ତଙ୍କୁ ୧୫,୦୦୦ଟଙ୍କା  ଲେଖାଏଁ  ଦାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରେ ଜମାଦେବାକୁ କୁହାଯାଇଛି।

କେନ୍ଦ୍ରୀୟ  ଅବକାରୀ ବିଭାଗର ଦୁଇ ଜଣ ପୂର୍ବତନ ସୁପରିଟେଣ୍ଡେଣ୍ଟ୍‌ ଅନିଲ କୁମାର ଓ ଅଜୟ ସିଂ ଏବଂ ଇନ୍‌ସ୍ପେକ୍ଟର ରବିନ୍ଦର ଦାହିଆ ସେମାନଙ୍କ କାର୍ଯ୍ୟକାଳରେ ଗୋଟିଏ କମ୍ପାନିଠାରୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ୩ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ଏହା ଧରାପଡ଼ିବା ପରେ ସେମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର  ବିଚାର ଜାରି ରହିଥିବା ବେଳେ ତିନି ଅଭିଯୁକ୍ତ କିମ୍ବା ତାଙ୍କର ଓକିଲ ଧାର୍ଯ୍ୟ ତାରିଖରେ ଅଦାଲତରେ ଉପସ୍ଥିତ ନ ଥିଲେ। ପରେ ସେମାନେ ପରବର୍ତ୍ତୀ ତାରିଖ ଲାଗି ଆବେଦନ  କରିବା ବେଳେ ସ୍ୱତନ୍ତ୍ର ସିବିଆଇ ଜଜ୍‌ ଜଗ୍‌ଦୀପ୍‌ ସିଂ ଜରିମାନା ସ୍ୱରୂପ କେରଳ ବନ୍ୟା ପ୍ରପୀଡ଼ିତଙ୍କ ଲାଗି ୧୫,୦୦୦ଟଙ୍କା ଲେଖାଏଁ ଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ଏଥିସହ ମାମଲାର ପରବର୍ତ୍ତୀ ତାରିଖ ପୂର୍ବରୁ ଏହି ଦାନର ରସିଦ୍‌ ଅଦାଲତରେ  ଦାଖଲ କରିବାକୁ ମଧ୍ୟ ତାଗିଦ୍‌ କରିଥିଲେ।

ସମ୍ବନ୍ଧିତ ଖବର