ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଅନ୍ତରୀଣ ଆଶ୍ୱସ୍ତି; ନଭେମ୍ବର ୧ ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ସିବିଆଇ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏକ ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଅଭିଯୁକ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଆଜି ରାକେଶ ଆସ୍ଥାନାଙ୍କ ପକ୍ଷରୁ ଆଗତ ଏକ ଯାଚିକାର ଶୁଣାଣି କରି ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଆଗତ ଏକ ଲାଞ୍ଚ ମାମଲାର ତଦନ୍ତ କରି ସିବିଆଇ ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇର ଜନୈକ ଡିଏସ୍‌ପିଙ୍କୁ ଗିରଫ କରିବା ପରେ ଆସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ମାମଲାର କେସ୍‌ ଡାଇରି କୋର୍ଟରେ ଉପସ୍ଥାପିତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ସହ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆଜି ପାଇଁ ଧାର୍ଯ୍ୟ କରିଥିଲେ।

ତେବେ, ଆଜିର ଶୁଣାଣି କାଳରେ ସିବିଆଇ ଓକିଲ କୋର୍ଟଙ୍କୁ କହିଥିଲେ ଯେ ଏବେ ଆସ୍ଥାନାଙ୍କ କେସ୍‌ ଡାଇରି ସିଭିସିଙ୍କ ପାଖରେ ରହିଥିବା କାରଣରୁ ତାହାକୁ ଏବେ କୋର୍ଟରେ ଉପସ୍ଥାପିତ କରାଯାଇ ପାରୁନାହିଁ। ଏହା ଶୁଣିବା ପରେ ଏହି ମାମଲାରେ ଆସନ୍ତା ନଭେମ୍ବର ୧ ତାରିଖ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସିବିଆଇ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର