ଅସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗର ତଦନ୍ତ ଅପରିପକ୍ୱ ଅବସ୍ଥାରେ ଅଛି, ଏହାକୁ ଖାରଜ କରିବାର ଆବଶ୍ୟକତା ନାହିଁ; ଦିଲ୍ଲୀ ହାଇକୋର୍ଟଙ୍କୁ କହିଲା ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଦ୍ୱିତୀୟ ମୁଖ୍ୟ, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗରେ ଧର୍ତ୍ତବ୍ୟ ଅପରାଧ ରହିଛି। ଏଘଟଣା ସଂପର୍କରେ ସିବିଆଇ ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତ ଏବେ ଅପରିପକ୍ୱ ଅବସ୍ଥାରେ ଅଛି। ତେଣୁ, କୌଣସି ଶେଷ ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ତଦନ୍ତକୁ ଲକ୍ଷ୍ୟହୀନ ଭାବେ ବନ୍ଦ କରିଦେବା ଆଦୌ ଅନୁମୋଦନ ସାପେକ୍ଷ ହେବ ନାହିଁ ବୋଲି ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ସିବିଆଇ।

ସ୍ୱତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନାଙ୍କ ବିରୋଧରେ ଆଗତ ସଂପର୍କରେ ସିବିଆଇର ତଦନ୍ତକାରୀ ଦଳ ଏବେ ଅନେକ ଆପତ୍ତିଜନକ ଦଲିଲର ପରୀକ୍ଷା ନିରୀକ୍ଷା କରୁଛି ଏବଂ ଏହି ମାମଲାରେ ସଂପୃକ୍ତ ଅନ୍ୟ ପକ୍ଷମାନଙ୍କ ସଂପର୍କରେ ମଧ୍ୟ ତଦନ୍ତ ଜାରି ରଖିଛି। ତେବେ, ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା ସହ ସଂପୃକ୍ତ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଦଲିଲ୍‌କୁ ଏବେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ (ସିଭିସି) ଅନୁଧ୍ୟାନ କରୁଥିବାରୁ ସିବିଆଇ ପକ୍ଷରୁ ଚାଲିଥିବା ତଦନ୍ତ ବାଧାପ୍ରାପ୍ତ ହୋଇଛି।

ତେଣୁ ଏପରିସ୍ଥିତିରେ ରାକେଶ ଅସ୍ଥାନା ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାଲିଥିବା ତଦନ୍ତକୁ ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେବାର କୌଣସି ଯଥାର୍ଥତା ନାହିଁ ବୋଲି ସିବିଆଇ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଦ୍ୱିତୀୟ ମୁଖ୍ୟ, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ତାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସଂପର୍କରେ ଯେଉଁ ତଦନ୍ତ କରୁଛି, ତାକୁ ଖାରଜ କରିବା ପାଇଁ ଆବେଦନ କରି ଦିଲ୍ଲୀ ହାଇକୋର୍ଟରେ ଯେଉଁ ମାମଲା ଆଗତ କରିଥିଲେ, ତାର ଉତ୍ତରରେ ସିବିଆଇ ଏହି କଥା କୋର୍ଟଙ୍କୁ କହିଛି।

ସମ୍ବନ୍ଧିତ ଖବର