ସିବିଆଇ ରିମାଣ୍ଡ୍‌ରେ ବିଜେପି ବିଧାୟକ

ଉନ୍ନାଓ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ୟୁପିର ଉନ୍ନାଓ ଜିଲ୍ଲାରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଗତକାଲି ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ଆଜି ଲକ୍ଷ୍ନୌ କୋର୍ଟରେ ହାଜର କରାଯାଇଥିଲା। ୪ ଥର ବିଧାୟକ ହୋଇଥିବା ସେଙ୍ଗରଙ୍କୁ ୭ ଦିନ ରିମାଣ୍ଡରେ ନେବାପାଇଁ ଅଦାଲତ ସିବିଆଇକୁ ଅନୁମତି ଦେଇଛନ୍ତି। ତେବେ ଅଭିଯୁକ୍ତ ବିଜେପି ବିଧାୟକ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତିି। ସେ କହିଛନ୍ତି ନ୍ୟାୟପାଳିକା ଉପରେ ତାଙ୍କର ଭରସା ରହିଛି ଏବଂ ସେ ନିଶ୍ଚିତ ନ୍ୟାୟ ପାଇବେ। ଗତକାଲି ଭୋର ୪.୩୦ ସମୟରେ ସିବିଆଇ ବିଧାୟକ ସେଙ୍ଗରଙ୍କୁ ତାଙ୍କ ବାସଭବନରୁ ଉଠାଇ ଆଣିବାପରେ ତାଙ୍କୁ ପ୍ରାୟ ୧୬ ଘଣ୍ଟା ଜେରା କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ଆଜି ଲକ୍ଷ୍ନୌ ସ୍ଥିତ ସିବିଆଇ ଜୋନାଲ୍‌ ଅଫିସ୍‌ରେ ପହଞ୍ଚିଥିଲେ। ପରେ ତାଙ୍କୁ ରାମ୍‌ ମନୋହର ଲୋହିଆ ହସ୍ପିଟାଲ୍‌କୁ ଡାକ୍ତରୀମାଇନା ପାଇଁ ନିଆଯାଇଥିଲା। ଆଜି ସିବିଆଇ ପୀଡ଼ିତାଙ୍କୁ ପଚରାଉଚୁରା କରିବା ସହ ମାମଲାର ପୁରୁଣା ରିପୋର୍ଟକୁ ନେଇ ଖୋଳତାଡ଼ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉନ୍ନାଓ ଏବଂ କଠୁଆ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦେବାପରେ ପୀଡ଼ିତା ଜଣଙ୍କ ବିଶ୍ୱାସ ରଖିଛନ୍ତି ଯେ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଦାଦା ଅଭିଯୋଗ ଆଣିଛନ୍ତି ଯେ ଉନ୍ନାଓ ପ୍ରଶାସନ ବିଜେପି ବିଧାୟକଙ୍କୁୁ ସୁରକ୍ଷା ଦେବାପାଇଁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର