ନାରୀଙ୍କୁ ପଶୁ ପରି ରଖାଯାଇଥିବା ଦିଲ୍ଲୀ ଆଶ୍ରମରେ ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦୁର୍ଗ ଭଳି ଆଶ୍ରମରେ ଶତାଧିକ ମହିଳା ଏବଂ ନାବାଳିକା ପଶୁ ପରି ବନ୍ଦିନୀ ହୋଇ ରହିଥିବା କଥା ଜଣାପଡ଼ିବା ପରେ ସେଠାରେ ସିବିଆଇ ତଦନ୍ତ କରାଇବାକୁ ବୁଧବାର ଦିନ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ଏବଂ ତା’ର ପ୍ରତିଷ୍ଠାତା ବୀରେନ୍ଦର ଦେବ ଦୀକ୍ଷିତଙ୍କ ବିରୋଧରେ ସିବିଆଇ ତଦନ୍ତ ଚାଲିବ। ସେଠାରେ ଅଧିକାଂଶ ନାରୀଙ୍କୁ ବର୍ଷ ବର୍ଷ ଧରି ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଥିଲା।

ତଦନ୍ତ ଆରମ୍ଭ କରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିବାକୁ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଏବଂ ଜଷ୍ଟିସ୍‌ ସି ହରି ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ସିବିଆଇ ନିର୍ଦେଶକଙ୍କୁ କହିଛନ୍ତି। ଦିଲ୍ଲୀରେ ଦାଏର କରାଯାଇଥିବା ଏଫ୍‌ଆଇଆର୍‌, ନିରୁଦ୍ଦିଷ୍ଟ ଝିଅମାନଙ୍କ ଅଭିଯୋଗ ସଂକ୍ରାନ୍ତ ରେକର୍ଡ, ଯୌନ ନିର୍ଯାତନା ଏବଂ ଆଶ୍ରମରେ ଘଟିଥିବା ଆତ୍ମହତ୍ୟା ଆଦି ମାମଲାର ଏହି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ତଦନ୍ତ କରିବ।

ଅଦାଲତ ଦ୍ୱାରା ନିଯୁକ୍ତ ଅନୁସନ୍ଧାନକାରୀ ପାନେଲ ଆଶ୍ରମର ପରିସ୍ଥିତି ବିଷୟରେ ସୂଚନା ଦେବା ପରେ ହାଇକୋର୍ଟ ତଦନ୍ତ ନିର୍ଦେଶ ଦେଇଛନ୍ତି। ଓକିଲ ନନ୍ଦିତା ରାଓ, ଅଜୟ ବର୍ମା ଏବଂ ଦିଲ୍ଲୀ ମହିଳା କମିସନ୍‌ର ମୁଖ୍ୟ ସ୍ୱାତୀ ମାଲିଓ୍ଵାଲ୍‌ଙ୍କୁ ନେଇ ଏହି ପାନେଲ୍‌ ଗଠିତ ହୋଇଥିଲା। ଚାରି ଘଣ୍ଟିଆ ଶୁଣାଣି ପରେ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଥିଲେ।

Image Courtesy of TOI

ଉଭୟ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ମାମଲା ରୁଜୁ କରାଯାଇଛି। ଦିଲ୍ଲୀରେ ରେଜିଷ୍ଟ୍ରି ହୋଇଥିବା ମାମଲା ସବୁର ସିବିଆଇ ତଦନ୍ତ କରିବା ସହ ଦୈନିକ ଡାଏରି ଏଣ୍ଟ୍ରି ତନଖି କରି ଆଇନ ଅନୁସାରେ ଅନୁସନ୍ଧାନ ଏବଂ ମାମଲା ପଞ୍ଜିକରଣ କରିବ। ଉତ୍ତର ପ୍ରଦେଶରେ ରୁଜୁ ହୋଇଥିବା ମାମଲାରେ ଆଜିଠୁ ତିନି ସପ୍ତାହ ମଧ୍ୟରେ ସିବିଆଇ ଷ୍ଟାଟସ୍‌ ରିପୋର୍ଟ ଦେବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି।

ଆଶ୍ରମର କୋଠବାଡ଼ି ମଧ୍ୟ ଖଣ୍ଡପୀଠଙ୍କ ତଦନ୍ତ ପରିସରକୁ ଆସିଛି। ସେଗୁଡ଼ିକ ବୈଧ୍ୟ କି, ଅବୈଧ୍ୟ ତାହା ତଦନ୍ତ କରିବାକୁ ଖଣ୍ଡପୀଠ ନର୍ଥ କର୍ପୋରେସନ୍‌ କମିସନର୍‌ଙ୍କୁ ନିର୍ଦେଶ ଦେଇଛନ୍ତି। ଯଦି କୌଣସି ବେଆଇନ୍‌ ପରିଲକ୍ଷିତ ହୁଏ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣ୍ଡପୀଠ କମିସନର୍‌ଙ୍କୁ କହିଛନ୍ତି।

ଆଶ୍ରମର ଦୁଇଟି କୋଠାରେ ରହୁଥିବା ପୁରୁଷ ଏବଂ ମହିଳା ପ୍ରତ୍ୟେକ କର୍ମଚାରୀ ଏବଂ ଅନୁଗାମୀଙ୍କ ପୂର୍ଣ୍ଣ ବିବରଣୀ ଗୁରୁବାର ସୁଦ୍ଧା ଦାଖଲ କରିବାକୁ ହାଇକୋର୍ଟ ଆଶ୍ରମ ଏବଂ ତା’ର ପ୍ରତିଷ୍ଠାତାଙ୍କୁ ନିର୍ଦେଶ ଦେଇଛନ୍ତି। ଏବେ ଆଶ୍ରମରୁ ନିରୁଦ୍ଦେଶ ହୋଇ ଯାଇଥିବା ଏକ ଝିଅର ଠିକଣା ସମ୍ପର୍କୀୟ ସୂଚନା ମଧ୍ୟ କୋର୍ଟ ମାଗିଛନ୍ତି।

ଆଶ୍ରମରେ ଅନ୍ତେବାସୀଙ୍କ ଦୁର୍ଦ୍ଦଶା ସଂକ୍ରାନ୍ତରେ ମଙ୍ଗଳବାର ଦିନ ଫାଉଣ୍ଡେସନ୍‌ ଫର୍‌ ଏମ୍ପାଓ୍ଵାର୍‌ମେଣ୍ଟ୍‌ ନାମକ ଏକ ଏନ୍‌ଜିଓ ଦାଏର କରିଥିବା ଜନସ୍ୱାର୍ଥ ମାମଲା ଦାଏର୍‌ କରି କୋର୍ଟଙ୍କୁ ସୂଚନା ଦେଇଥିଲା। ଦିଲ୍ଲୀ ଆଶ୍ରମର ପରିସ୍ଥିତିକୁ ଡେରା ସଚ୍ଚା ସୌଦା ଆଶ୍ରମ ସହ ପ୍ରକାରାନ୍ତରେ ଏହି ଜନସ୍ୱାର୍ଥ ମାମଲାରେ ତୁଳନା କରାଯାଇଥିଲା।

ତା’ପରେ ଅଦାଲତ ଗଠନ କରିଥିଲା ଅନୁସନ୍ଧାନକାରୀ ପାନେଲ୍‌। ସେଠାରେ ୧୦୦ ସରିକି ନାରୀ ଓ ନାବାଳିକା ଭୟାବହ ପରିସ୍ଥିତିରେ ରହୁଥିବା କଥା ପାନେଲ୍‌ କୋର୍ଟଙ୍କୁ ଜଣାଇଥିଲା। ସେମାନଙ୍କ ଗାଧୁଆପାଧୁଆ ପାଇଁ ନିରୋଳା ସ୍ଥାନଟିଏ ନାହିଁ ଏବଂ ସେମାନେ ପଶୁ ବଞ୍ଚିବା ପରିସ୍ଥିତିରେ ରହୁଛନ୍ତି ବୋଲି ପାନେଲ କହିଥିଲା। ସେମାନଙ୍କୁ ନିଶା ଔଷଧ ମଧ୍ୟ ଦିଆଯାଇ ଥାଇ ପାରେ ବୋଲି ପାନେଲ୍‌ ଦର୍ଶାଇଛି। ଅନୁସନ୍ଧାନ କରିବାକୁ ଯାଇଥିବା ପାନେଲ୍‌ର ସଦସ୍ୟଙ୍କୁ ଆଶ୍ରମର କର୍ମଚାରୀମାନେ ଆକ୍ରମଣ କରି ଘଣ୍ଟାଏ କାଳ ଗୋଟାଏ କୋଠରିରେ ପୂରାଇ ତାଲା ପକାଇ ଦେଇଥିଲେ।

Image Courtesy of The Hindu

ଅତିରିକ୍ତ ପୁଲିସ ଫୋର୍ସ ଡକାଯିବା ପରେ ଯାଇ ପାନେଲ୍‌ର ସଦସ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା। ତେଣୁ ଆଶ୍ରମର କର୍ମଚାରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଲାଗୁ କରିବା ପାଇଁ ପାନେଲ୍‌ କହିଛି। ଶୁଣାଣିର ଆଗାମୀ ତାରିଖରେ ଏ କଥା ବିଚାରକୁ ନିଆଯିବ ବୋଲି ହାଇକୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର