ଚର୍ଚ୍ଚିତ ଆରୁଶି ହତ୍ୟାକାଣ୍ଡ ମାମଲା: ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟ ଯିବ ସିବିଆଇ

ନୂଆଦିଲ୍ଲୀ:ଚର୍ଚ୍ଚିତ ଆରୁଶି ତଲଓ୍ଵାର ଓ ତାଙ୍କ ଘରର ଘରୋଇ ସହାୟକ ହେମରାଜଙ୍କ ହତ୍ୟା ଘଟଣାରେ ଆରୁୁଶିଙ୍କ ବାପା ରାଜେଶ ତଲଓ୍ଵାର ଓ ମାଅ ନୂପୁର ତଲଓ୍ଵାରଙ୍କୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିବା ମାମଲାରେ ସି ବି ଆଇ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବ। ଆହ୍ଳାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସି ବି ଆଇ ପୁଣି ଥରେ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟ ଦ୍ୱାରା କରିବା ପାଇଁ ଚଳିତ ମାସ ସୁଦ୍ଧା ଆବେଦନ କରିବ ବୋଲି ସି ବି ଆଇର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି।

photo credit- hindustan times

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖ ଦିନ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ବି କେ ନାରାୟଣ ଓ ଜଷ୍ଟିସ ଏ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୦୮ ମସିହା ମେ ୧୬ ତାରିଖ ରାତିରେ ନୋଇଡ଼ାର ଜଳବାୟୁ ବିହାରରେ ଥିବା ତଳଓ୍ଵାର ଦମ୍ପତ୍ତିଙ୍କ ଘରେ ସେମାନଙ୍କ ୧୪ ବର୍ଷର ନାବାଳିକା ଝିଅ ଆରୁଶି ଓ ସେମାନଙ୍କ ଘରୋଇ ସହାୟକ ହେମରାଜଙ୍କୁ ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ।
ସୂଚନାଯୋଗ୍ୟ ଯେ ଆରୁଶି ଓ ହେମରାଜ ହତ୍ୟା ମାମଲାରେ ସି ବି ଆଇର ଗାଜିଆବାଦ କୋର୍ଟ ତଲଓ୍ଵାର ଦମ୍ପତିଙ୍କୁ ୨୦୧୩ ମସିହା ନଭେମ୍ବର ୨୬ ତାରିଖରେ ଆଜୀବନ କାରାଦଣ୍ଡ ଶୁଣାଇ ଥିଲା। ସି ବି ଆଇ କୋର୍ଟଙ୍କ ଏହି ବିରୋଧରେ ତଲଓ୍ଵାର ଦମ୍ପତ୍ତି ଆହ୍ଲାବାଦ ହାଇକୋର୍ଟରେ ଅପିଲ କରିଥିଲେ ଓ ଆହ୍ଲାବାଦ ହାଇକୋର୍ଟ ସେମାନଙ୍କୁ ଆଶ୍ୱସ୍ତି ଦେବା ସହିତ ନିର୍ଦ୍ଦୋଷରେ ଖଲାସ କରି ଦେଇଥିଲେ।


ପ୍ରକାଶଯୋଗ୍ୟ ଯେ ଆରୁଶିଙ୍କୁ ତାଙ୍କ ବେଡ୍‌ରୁମ୍‌ରେ ହତ୍ୟା କରାଯାଇଥିଲା। ସେତେବେଳେ ତାଙ୍କ ଘରୋଇ ସହାୟକଙ୍କୁ ସନ୍ଦେହ କରାଯାଇଥିଲା। କାରଣ ତାଙ୍କ ଘରୋଇ ସହାୟକ ହତ୍ୟାକାଣ୍ଡ ପରେ ଗାଏବ ଥିଲେ। ମାତ୍ର ପର ଦିନ ହେମରାଜଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଛାତ ଉପରୁ ଜବତ କରା ଯାଇଥିଲା। ଏ ନେଇ ଉତ୍ତରପ୍ରଦେଶ ସରକାର ୨୦୦୮ ମେ ୨୩ ତାରିଖ ଦିନ ଆରୁଶିଙ୍କ ବାପା ରାଜେଶ ଓ ମାଆ ନୂପୁରଙ୍କୁ ଏହି ଦୁଇ ହତ୍ୟାକାଣ୍ଡର ଅଭିଯୁକ୍ତଭାବେ ଗିରଫ କରିଥିଲା। ତେବେ ୨୦୦୮ ମସିହା ମେ ୩୧ ତାରିଖ ଦିନ ସି ବି ଆଇ ଏହି ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ତଦନ୍ତ ଭାର ଗ୍ରହଣ କରିଥିଲା। ପ୍ରଥମେ ସି ବି ଆଇ ତଲଓ୍ଵାର ଦମ୍ପତିଙ୍କୁ ଦୋଷମୁକ୍ତ କହୁଥିବା ବେଳେ ପରେ ତାଙ୍କରି ମୁଣ୍ଡରେ ହିଁ ଅଠା ବୋଳିଥିଲା। ସେହିପରି ସି ବି ଆଇ ମଧ୍ୟ ୨୦୦୮ ମସିହା ଜୁନ୍‌ ୧୩ ତାରିଖ ଦିନ ରାଜେଶ ତଲଓ୍ଵାରଙ୍କ କ୍ଲିନିକ୍‌ର କମ୍ପାଉଣ୍ଡର କୃଷ୍ଣା, ତାଙ୍କ ବନ୍ଧୁଙ୍କ ଘରର ଘରୋଇ ସହାୟକ ରାଜକୁମାର ଓ ବିଜୟ ମଣ୍ଡଳଙ୍କୁ ଅଟକ ରଖି ପଚରା ଉଚରା କରିଥିଲା। ମାତ୍ର ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ସେହି ୩ ଜଣଙ୍କୁ ସି ବି ଆଇ ଛାଡ଼ି ଦେଇଥିଲା।ଶେଷର ସି ବି ଆଇ କୋର୍ଟ ଅନର କିଲିଂ ଅଭିଯୋଗରେ ଉଭୟ ଆରୁଶୀଙ୍କ ପିତାମାତାଙ୍କୁ ଆଜୀବନ କରାଦଣ୍ଡ ଦେଇଥିଲେ। ଯାହାକୁ ଆହ୍ଲାବାଦ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

ସମ୍ବନ୍ଧିତ ଖବର