ସିବିଏସ୍‌ଇ ଖାତା ଦେଖାରେ ବିଭ୍ରାଟ : ୧୩୦ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ, ଭୁବନେଶ୍ୱର ଜୋନ୍‌ରୁ ୭

ନୂଆଦିଲ୍ଲୀ : ଚଳିତବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଚର୍ଚ୍ଚାରେ ରହିଥିବା ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ପୁଣିଥରେ ବିବାଦ ଘେରକୁ ଆସିଛି। ପରୀକ୍ଷା ଖାତା ଦେଖାରେ ତ୍ରୁଟି ପରିଲକ୍ଷିତ ହେବା ପରେ ଆଜି ସିବିଏସ୍‌ଇ ପକ୍ଷରୁ ୧୩୦ ଜଣ ଶିକ୍ଷକଙ୍କ ବିରୋକ୍ଷରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ୧୩୦ ଜଣ ଶିକ୍ଷକଙ୍କ ମଧ୍ୟରୁ କେବଳ ବିହାରର ୪୫ ଜଣ ଥିବା ବେଳେ ସେମାନଙ୍କ ଦାୟିତ୍ୱହୀନତା ଯୋଗୁଁ ବୋର୍ଡର ସମ୍ମାନ ଓ ପ୍ରତିଷ୍ଠା କ୍ଷୁର୍ଣ୍ଣ ହୋଇଥିବା ଜଣେ ଅଧିକାରୀ କହିଛନ୍ତିି। ଏହାବାଦ୍‌ ଚେନ୍ନାଇର ୧୪, ଆହ୍ଲବାଦର ୧୧, ଭୁବନେଶ୍ୱରର ୭, ଦିଲ୍ଲୀର ୬, ଗୌହାଟୀର ୨ ଓ ତ୍ରିଭେନ୍ଦ୍ରମ୍‌ର ଜଣେ, ଅଜମେର ଓ ପଞ୍ଚକୁଳାର ୮ ଜଣ ଲେଖାଏଁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୋର୍ଡ ସୁପାରିସ କରିଛନ୍ତି। ସିବିଏସ୍‌ଇର ଡେରାଡୁନ କାର୍ଯ୍ୟାଳୟରୁ ୨୭ ଜଣଙ୍କୁ ତତ୍କାଳ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଦିଲ୍ଲୀ ଜୋନ୍‌ର ୩ ଜଣ ସରକାରୀ ସ୍କୁଲ ଶିକ୍ଷକ ଓ ୨ ଜଣ ଘରୋଇ ସ୍କୁଲ ଶିକ୍ଷକ ମଧ୍ୟ ନିଲମ୍ବନ ହେବା ନେଇ ସୂଚନା ମିଳିଛି। ଚଳିତବର୍ଷର ପରୀକ୍ଷାରେ କେତେକ ଛାତ୍ରଛାତ୍ରୀଙ୍କ ପୁନଃ ମୂଲ୍ୟାୟନ କରାଯିବା ପରେ ସେମାନଙ୍କର ୫୦-୫୫ ମାର୍କ ଲେଖାଏଁ ବୃଦ୍ଧି ପାଇଥିଲା। ତେବେ ଖାତାଦେଖାରେ ତ୍ରୁଟି ଥିବା ଅଭିଯୋଗରେ ଏହି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ମେ’ ଶେଷ ସପ୍ତାହରେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଜୁନ ପହିଲାରୁ ପୁନଃ ମୂଲ୍ୟାୟନ ପାଇଁ ଆବେଦନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର