ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସିବିଏସ୍ଇ ନିଜ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଏ ନେଇ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ଏହି ପରିବର୍ତ୍ତନ ଅଣାଯିବା ସହ ୨୦୧୯-୨୦ବର୍ଷରେ ହେବାକୁ ଥିବା ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ଅଣାଯିବ ବୋଲି ସେ କହିଛନ୍ତି। ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ଥିବା ଘୋଷା ପାଠ ମନୋଭାବକୁ ଦୂର କରିବା ସହ ଆଲୋଚନାତ୍ମକ ଭାବନା ଓ ତର୍କ କ୍ଷମତାକୁ ବିକଶିତ କରିବା ପାଇଁ ଏଭଳି ନିୟମ ଲାଗୁ କରାଯାଉଛି।
ପରୀକ୍ଷା ପ୍ରଣାଳୀରେ ହେବାକୁ ଥିବା ପରିବର୍ତ୍ତନ ମଧ୍ୟରେ ରହିଛି, ପ୍ରଶ୍ନପତ୍ରରେ ପ୍ରଶ୍ନର ସଂଖ୍ୟା କମ ରହିବା ସହ ଅଧିକ ଆନ୍ତରିକ ବିକଳ୍ପ ରହିବ। ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନର ସଂଖ୍ୟା ବୃଦ୍ଧି ହେବା ସହ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନକୁ ହ୍ରାସ କରାଯିବ। ଏହା ସହ ସବୁ ପିଲାଙ୍କର ପରୀକ୍ଷା ଖାତାକୁ ବାହାର ମୂଲ୍ୟାଙ୍କନ କେନ୍ଦ୍ରକୁ ପଠାଯିବା ସହ ନିଜ ଛାତ୍ର-ଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ କରି ପାରିବେ ସ୍କୁଲର ଶିକ୍ଷୟ-ଶିକ୍ଷୟତ୍ରୀ। ଏହା ସହ ସବୁ ବିଷୟ ପାଇଁ ୨୫ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ ବୋଲି କହିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ।