ସିବିଏସ୍‌୍‌ଇ ପରୀକ୍ଷା ଫଳ ପ୍ରକାଶ:ପାସ୍‌ ହାର୍‌ ୮୬.୭୦%

୪୯୯ ମାର୍କ ରଖି ୪ ଜଣ ମିଳିତ ଟପର୍‌ :୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ମୋଟ ୮୬.୭୦ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ ହାର ୮୮.୬୭ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ରହିଛି ୮୫.୩୨ ପ୍ରତିଶତ। ଥିରୁବନନ୍ତପୁରମ ଜୋନ୍‌ରେ ସର୍ବାଧିକ ୯୯.୬୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୭.୩୭ ପ୍ରତିଶତ ପାସ୍‌ ହାର୍‌ ସହ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହିଛି। ତୃତୀୟ ସ୍ଥାନରେ ଥିବା ଅଜମେର ଜୋନ୍‌ରେ ପାସ୍‌ ହାର ୯୧.୮୧ ପ୍ରତିଶତ ରହିଛି। ସିବିଏସ୍‌ଇର େଓ୍ଵବ୍‌ସାଇଟ୍‌ ମୁତାବକ ଡିପିଏସ୍‌ ଗୁରୁଗ୍ରାମର ପ୍ରଖର ମିତ୍ତଲ, ବଜ୍‌ନୋର ଆର୍‌ପି ପବ୍ଲିକ୍‌ ସ୍କୁଲ୍‌ର ରିମ୍‌ଝିମ୍‌ ଅଗ୍ରଓ୍ଵାଲ, ଉତ୍ତର ପ୍ରଦେଶ ଶାମଲି ସ୍କୋଟିସ୍‌ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଏବଂ କେରଳ କୋଚ୍ଚିର ଭବନ୍ସ ବରୁଣା ବିଦ୍ୟାଳୟର ଛାତ୍ରୀ ଶ୍ରୀ ଲକ୍ଷ୍ମୀ ଜି ମୋଟ ୫୦୦ରୁ ୪୯୯ ମାର୍କ ରଖି ମିଳିତ ଟପର୍‌ ହୋଇଛନ୍ତି। ସେହିଭଳି ୪୯୮ ମାର୍କ ହାସଲ କରି ହରିୟାଣା ଗୁରୁଗ୍ରାମର ରିତିକା ସରକାର, ହରିୟାଣା ବହାଲଗଡ଼ର ଶ୍ରେଷ୍ଠା ଶର୍ମା, ୟୁପି ମୁଜାଫରନଗରର ଅକ୍ଷତ ବର୍ମା, ନୋଏଡାର ଅଂଶିକ ଗୁପ୍ତା , ଆଂଚିତ ଜୈନ, କେରଳ କୋଚ୍ଚିର ଥେରେସା ସୋନି ଏବଂ ଛତିଶଗଡ଼ର ସାକ୍ଷୀ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଏଥର ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ୧, ୩୧, ୪୯୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ କିମ୍ବା ତା’ରୁ ଅଧିକ ମାର୍କ ହାସଲ କରିଥିବା ବେଳେ ୨୭,୪୭୬ ଜଣ ୯୫ ପ୍ରତିଶତରୁ ଅଧିକ ମାର୍କ ହାସଲ କରିଛନ୍ତି। ଚଳିତ ବର୍ଷ ୧୬,୩୮,୪୨୮ ଜଣ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ପାଇଁ ପଂଜୀକରଣ କରିଥିଲେ।

ସମ୍ବନ୍ଧିତ ଖବର