ସୀମାନ୍ତରେ ଆଉ ହେବନି ଅସ୍ତ୍ରବିରତି ଉଲ୍ଲଂଘନ; ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜରର୍ସ ମିଳିତ ବୈଠକରେ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଶେଷରେ ଆଜି ବିଳମ୍ବିତ ସନ୍ଧ୍ୟାରେ ଭାରତ- ପାକ୍‌ ସୀମାନ୍ତରେ ଆଉ ଅସ୍ତ୍ରବିରତି ଉଲ୍ଲଂଘନ ନକରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ ପାକିସ୍ତାନ ରେଞ୍ଜରର୍ସ ପକ୍ଷରୁ ଆଜି (ସୋମବାର) ଅପରାହ୍ନରେ ଆୟୋଜିତ ଏକ ମିଳିତ ବେଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି। ଏହି ମିଳିତ ବୈଠକ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଏହି ବୈଠକ ସଂପୂର୍ଣ୍ଣ ରୂପେ ସୌହାର୍ଦ୍ଦପୂର୍ଣ୍ଣ ରହିଥିଲା। ୨୦୦୩ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ସଂପୂର୍ଣ୍ଣ ସମ୍ମାନ ଦେଇ ବର୍ତ୍ତମାନ ଠାରୁ ଉଭୟ ଦେଶ କାଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସହମତ ହୋଇଛନ୍ତି ବୋଲି ବିଏସ୍‌ଏଫ୍‌ର ଶ୍ରୀନଗର ଫ୍ରଣ୍ଟିୟର ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଜିର ମିଳିତ ବୈଠକ ପରେ ଏହାକୁ କେତେ ମାତ୍ରାରେ ପାଳନ କରାଯାଉଛି ଓ ପ୍ରଥମେ କିଏ ଏହାର ଉଲ୍ଲଂଘନ କରୁଛି, ତାହାର ସମୀକ୍ଷା ଆସନ୍ତା ଜୁନ୍‌ ୨୧ ତାରିଖକୁ ଧାର୍ଯ୍ୟ ହୋଇଥିବା ପରବର୍ତ୍ତୀ ମିଳିତ ବୈଠକରେ କରାଯିବ ବୋଲି ମଧ୍ୟ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି।

ଏଥିସହ ଉଭୟ ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ରହିଥିବା ଉଭୟ ପକ୍ଷ ଏଣିକି ପରସ୍ପର ମଧ୍ୟରେ ସୌହାର୍ଦ୍ଦମୂଳକ ବାତାବରଣ ଭିତରେ ପ୍ରତି ସ୍ତରରେ ଆଲୋଚନା କରି ସୀମାନ୍ତରେ ଶାନ୍ତି ବଜାୟ ରଖିବା ସହ ଉଭୟ ପଟର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ଯେପରି ସେନା ବାହିନୀର ଗୁଳିଗୋଳା ଦ୍ୱାରା କ୍ଷତିଗ୍ରସ୍ତ ନହୁଏ ସେଥିପ୍ରତି ମଧ୍ୟ ଯତ୍ନବାନ ହେବେ। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଓ ପାକିସ୍ତାନ ରେଞ୍ଜରର୍ସ ମଧ୍ୟରେ ଚାଲିଥିବା ଏହି ମିଳିତ ବୈଠକ ସଫଳତାର ସହ ଶେଷପରେ ସୀମାନ୍ତରେ ମଧ୍ୟ ଗୁଳିବର୍ଷା ବନ୍ଦ ହୋଇଯାଇଛି ଏବଂ ଆଉ ଗୁଳିଗୋଳା ଶବ୍ଦ ଶୁଣିବାକୁ ମିଳୁ ନଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର