ଆରୋପର ଜବାବ ରଖିଲେ ମୁଖ୍ୟ ନିର୍ବାଚନ କମିଶନର: କମିଶନରମାନେ ପରସ୍ପରର ‘କ୍ଲୋନ୍‌’ ନୁହନ୍ତି, ବିଭିନ୍ନ ପ୍ରସଙ୍ଗରେ ମତ ଅଲଗା ହେବା ସ୍ୱାଭାବିକ

ନୂଆଦିଲ୍ଲୀ: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ଚୂଡ଼ାନ୍ତ ରାୟରେ ତାଙ୍କର ମତ ଉଲ୍ଲେଖ ହେଉ ନଥିବା ଦର୍ଶାଇ ବୈଠକ ବର୍ଜନ କରିଛନ୍ତି କମିସନର ଅଶୋକ ଲଭାସା। ଏ ନେଇ ସେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୩ଟି ପତ୍ର ଲେଖିବା ପରେ ଉପରୋକ୍ତ ପଦକ୍ଷେପ ନେଇଥିବା କଥା ଜଣାଇଛନ୍ତ ଲାଭାସା। ଏହି ଆରୋପ ପରେ ମୁହଁ ଖୋଲିଛନ୍ତି ମୁଖ୍ୟ ନିର୍ବାଚନ କମିସନର ସୁନୀଲ୍‌ ଆରୋରା। ସେ ଏହାକୁ ଏକ ସାଧାରଣ ଓ ସ୍ୱାଭାବିକ କଥା ବୋଲି ଅଭିହିତ କରିଛନ୍ତି।

(PIB Photo via PTI)

ଶନିବାର ମୁଖ୍ୟ ନିର୍ବାଚନ କମିସନର ଆରୋରା କହିଛନ୍ତି, ନିର୍ବାଚନ କମିସନରମାନେ ପରସ୍ପରର ‘କ୍ଲୋନ୍‌’ ନୁହନ୍ତି। ତେଣୁ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କର ମତ ଅଲଗା ହେବା ସ୍ୱାଭାବିକ। ଏ କ୍ଷେତ୍ରରେ ତାହା ହିଁ ଘଟିଛି। ଏଥିସହ ମୁଖ୍ୟ ନିର୍ବାଚନ କମିସନର ଏକଥା ମଧ୍ୟ କହିଛନ୍ତି ଯେ ଅତୀତରେ କମିସନରମାନଙ୍କ ଭିତରେ ଭିନ୍ନମତତା ଥିବାର ବହୁ ଉଦାହରଣ ରହିଛି। ଏହା ସ୍ୱାଭାବିକ ଏବଂ ଏପରି ହେବା ମଧ୍ୟ ଉଚିତ। ତେଣୁ ଏ କ୍ଷେତ୍ରରେ ତାହା ହିଁ ଘଟିଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତିନି ଜଣିଆ ନିର୍ବାଚନ କମିଶନ ବୈଠକରେ ତାଙ୍କ ମତ ଶୁଣାଯାଉନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଅଶୋକ ଲଭାସା । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିର୍ଣ୍ଣୟ ସମୟରେ ତାଙ୍କର ମତ ‘ଅଳ୍ପମତ’ ହୋଇଥିଲେ ହେଁ ତାହା ରେକର୍ଡ  କରାଯାଉନଥିବାରୁ ସେ ବୈଠକରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।  ସେ ମେ’ ୪ ତାରିଖରେ ଏ ନେଇ ମୁଖ୍ୟ  ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ପତ୍ର ଲେଖି ଜଣାଇଥିଲେ। ଏହାପରେ ମେ’ ୧୦ ଓ ୧୪ରେ ପୁନଶ୍ଚ ପତ୍ର ଲେଖି ନିଜର ମତ ରଖିଥିଲେ। ମାତ୍ର  ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନଥିରେ ତାଙ୍କର ମତ ଉଲ୍ଲେଖ କରା ନ ଯିବାରୁ ସେ ବୈଠକରୁ ନିଜକୁ ଦୂରେଇ ରଖିବାକୁ ସ୍ଥିର କରିଛନ୍ତି।

ସମ୍ବନ୍ଧିତ ଖବର