କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମୋଦୀ ସରକାର ଦେବେ ପୂଜା ଭେଟି; ବଢ଼ିବ ୫ ପ୍ରତିଶତ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆଗକୁ ଆସୁଛି ପାର୍ବଣର ଋତୁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରର ମୋଦୀ ସରକାର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଏକ ବିରାଟ ଦଶ’ରା ପୂଜାଭେଟି ଦେବାକୁ ଯୋଜନା ପ୍ରସ୍ତୁତ କରୁଛି। ଯୋଜନା ଅନୁଯାୟୀ ସପ୍ତମ ବେତନ କମିଶନଙ୍କ ସୁପାରିସ୍‌ ଆଧାରରେ କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ଘଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ କେନ୍ଦ୍ର ସରକାରୀ କର୍ମଚାରୀମାନେ ବର୍ତ୍ତମାନ ପାଉଥିବା ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି ଘଟିବ। ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରୀ କର୍ମଚାରୀମାନେ ଏବେ ୧୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଛନ୍ତି।

ପୂର୍ବରୁ ମୋଦୀ ସରକାର ଗତ ଜାନୁଆରି ୨୦୧୯ରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯାହାକି ୨୦୧୯ ଜୁଲାଇ ମାସ ଠାରୁ କାର୍ଯ୍ୟକାରୀ ହୋଇ ଥାଆନ୍ତା। କିନ୍ତୁ, କେତେକ ପ୍ରଶାସନିକ ଅସୁବିଧା କାରଣରୁ ସରକାରଙ୍କର ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନଥିଲା। କିନ୍ତୁ, ଆଗକୁ ପାର୍ବଣର ଋତୁ ଥିବାରୁ ସରକାର ଅଗଷ୍ଟ ମାସ ଶେଷ ସୁଦ୍ଧା କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ କର୍ମଚାରୀମାନଙ୍କର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ବକେୟା ରହି ଯାଇଥିବା ବର୍ଦ୍ଧିିତ ମହଙ୍ଗା ଭତ୍ତାକୁ ମଧ୍ୟ ପୂଜା ଭେଟି ଆକାରରେ ଅକ୍ଟୋବର ମାସରେ ପ୍ରଦାନ କରିବାକୁ ମୋଦୀ ସରକାର ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର