ମହାନଦୀ ମୁହାଣ ସଫେଇ କାର୍ଯ୍ୟ : ସ୍ୱତନ୍ତ୍ର ଟିମ୍‌ ଗଠନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଓଡ଼ିଶାର ମହାନଦୀ ମୁହାଣ ସମେତ ଦେଶର ୧୯ଟି ରାଜ୍ୟର ୨୪ଟି ମୁହାଣ ଗୁଡ଼ିକର ସଫେଇ କାର୍ଯ୍ୟପାଇଁ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ୱାରା ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଦୂଷିତ ନଦୀ ମୁହାଣ ଗୁଡ଼ିକର ସଫେଇ କାର୍ଯ୍ୟ ତ୍ୱରାନ୍ଵିତ କରାଯିବ। ସ୍ୱତନ୍ତ୍ର ଟିମ୍‌ରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ରାଜ୍ୟର ନୋଡ଼ାଲ ଏଜେନ୍ସିର ପ୍ରତିନିଧୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ଶିକ୍ଷାନୁଷ୍ଠାନର ପ୍ରତିନିଧୀମାନଙ୍କୁ ସାମିଲ୍‌ କରାଯିବ। ଏହି ଟିମ୍‌ ସଫେଇ କାର୍ଯ୍ୟ ପାଇଁ ସ୍କୁୁଲ୍‌, କଲେଜ ଓ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରାଯିବ। ପ୍ରତ୍ୟେକ ନଦୀ ମୁହାଣର ସଫେଇ କାର୍ଯ୍ୟପାଇଁ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରାଳୟ ଦ୍ୱାରା ୧୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ। ସଫେଇ କାର୍ଯ୍ୟ ମେ’ ୧୫ରୁ ଆରମ୍ଭ ହୋଇ ଜୁନ୍‌ ୫ ତାରିଖରେ ଶେଷ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନଦୀ ମୁହାଣର ସଫେଇ ସମେତ ଦେଶର ୯ ରାଜ୍ୟର ୨୪ଟି ବେଳାଭୂମିରେ ମଧ୍ୟ ସଫେଇ କାର୍ଯ୍ୟ କରାଯିବ। ଏହି ୯ ରାଜ୍ୟରୁ ଓଡ଼ିଶା, ପୁରୀ ଓ ପାରାଦୀପ ବେଳାଭୂମି ମଧ୍ୟ ସାମିଲ ହୋଇଛି। ଏତଦ୍‌ବ୍ୟତୀତ ମନ୍ତ୍ରାଳୟ ଦ୍ୱାରା ପ୍ଲାଷ୍ଟିକ୍‌ର ଉପଯୁକ୍ତ ବ୍ୟବହାରିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ଭୁବନେଶ୍ୱର ସମେତ ଦେଶର ୫ଟି ପ୍ରମୁଖ ସହର ମାନଙ୍କରେ ମାରାଥନ୍‌ ବୋର୍ଡର ଆୟୋଜନ କରାଯିବ।

ଗଡ଼କରୀଙ୍କୁ ଭେଟିଲେ ଛତିଶଗଡ଼ ଜଳସଂପଦ ମନ୍ତ୍ରୀ : ମହାନଦୀ ପ୍ରସଙ୍ଗରେ ଆଲୋଚନା!

ନୂଆଦିଲ୍ଲୀରେ କେନ୍ଦ୍ର ଜଳସଂପଦ, ନଦୀ ବିକାଶ ଓ ଗଙ୍ଗା ରିଜ୍ୟୁଭେସନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଆଜି ଛିତିଶଗଡ଼ର ଜଳସଂପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରଓ୍ଵାଲ ସାକ୍ଷାତ କରିଥିବାର ଜଣାପଡିଛି। କେଉଁସବୁ ପ୍ରସଙ୍ଗରେ ବ୍ରିଜମୋହନ ଅଗ୍ରଓ୍ଵାଲ ନୀତିନ ଗଡ଼କରୀଙ୍କ ସହିତ ଆଲୋଚନା କରିଥିଲେ ସେ ସଂପର୍କରେ କିଛି ସୂଚନା ମିଳିନଥିବା ବେଳେ ଓଡ଼ିଶା ଦ୍ୱାରା ଗତକାଲି ମହାନଦୀ ସୁରକ୍ଷା ମହାସଂଗ୍ରାମ ଆରମ୍ଭ କରାଯାଇଥିବା ସଂପର୍କରେ ସେ କେନ୍ଦ୍ରମନ୍ତ୍ରୀଙ୍କ ଅବଗତ କରାଇ ଆଲୋଚନା କରିଥିବାର ଅନୁମାନ କରାଯାଉଛି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଟ୍ରିବ୍ୟୁନାଲ ଗଠନ କରାଯାଇଥିବାରୁ ଏ ସଂପର୍କରେ ଅଧିକ ଆଲୋଚନା କରିବା ଅନୁଚିତ ବୋଲି ବ୍ରିଜମୋହନ ଅଗ୍ରଓ୍ଵାଲ ଗତମାସରେ କଲିକତା ଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ରାଜ୍ୟର ଜଳସଂପଦ ସଂପର୍କିତ ପ୍ରଥମ ଆଞ୍ଚଳିକ ସମ୍ମିଳନୀରେ କହିଥିଲେ। ଏମିତିରେ ଆଜିରେ ବୈଠକରେ କେଉଁ ପ୍ରସଙ୍ଗରେ ସେ କେନ୍ଦ୍ର ଜଳସଂପଦମନ୍ତ୍ରୀଙ୍କୁ ଅବଗତ କରିଥିଲେ ତାହା ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର