୧୦% କ୍ୱୋଟା ନିମନ୍ତେ ୩ ଲକ୍ଷ ସିଟ୍‌ ବଢ଼ାଇବେ କେନ୍ଦ୍ରୀୟ ପାଣ୍ଠି ପାଉଥିବା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୧୦% ନୂତନ କ୍ୱୋଟା ଉଚ୍ଚ ଶିକ୍ଷା ନିମନ୍ତେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ଆଡ୍‌ମିସନ୍‌ ବୃଦ୍ଧି କରାଇବାକୁ ଥିବାରୁ ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷରେ ଦୁଇଟି ପର୍ଯ୍ୟାୟରେ କେନ୍ଦ୍ରୀୟ ପାଣ୍ଠି ପାଉଥିବା ଆଇଆଇଟି, ଆଇଆଇଏମ୍‌ ଏବଂ ଏନ୍‌ଆଇଟି ସମେତ ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ ଅଧିକ ୩ ଲକ୍ଷ ସିଟ୍‌ ବଢ଼ାଇବେ। ରାଜ୍ୟ ପରିଚାଳିତ ପ୍ରତିଷ୍ଠାନଗୁଡ଼ିକରେ ମଧ୍ୟ ଏହି କ୍ୱୋଟା ପ୍ରଚଳନ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଲେଖିଛନ୍ତି। ଫଳରେ ସେମାନେ ୨୫% ଯାଏଁ ଆସନ ବଢ଼ାଇବେ।

୨୦୨୧ ସୁଦ୍ଧା ଆଇଆଟିରେ ସିଟ୍‌ ସଂଖ୍ୟା ୫, ୧୦୦ ରୁ ଅଧିକ ବୃଦ୍ଧି ପାଇବାକୁ ଥିବା ବେଳେ ଆଇଆଇଏମ୍‌ରେ ବୃଦ୍ଧି ପାଇବ ପ୍ରାୟ ୮୦୦। ଦିଲ୍ଲୀ ୟୁନିଭର୍ସିଟି ଭଳି ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ୧୬, ୦୦୦ରୁ ଅଧିକ ସିଟ୍‌ ବଢ଼ିବାକୁ ଥିବାବେଳେ ବିଶ୍ୱଭାରତୀ ଏବଂ ଜେଏନ୍‌ୟୁ ଭଳି ବିଶ୍ୱବିଦ୍ୟାଳୟ ସବୁ ଯଥାକ୍ରମେ ପ୍ରାୟ ୮୨୨ ଏବଂ ୩୪୬ ସିଟ୍‌ ବଢ଼ାଇବେ।

ଏମ୍‌ଏଚ୍‌ଆର୍‌ଡି ଏବଂ ୟୁଜିସିରୁ ଚିଠି ପାଇବା ପରେ ଅନେକ ବିଶ୍ୱବିଦ୍ୟାଳୟ ସିଟ୍‌ ବୃଦ୍ଧି ଏବଂ ଆର୍ଥିକ ଆବଶ୍ୟକତା ସଂକ୍ରାନ୍ତରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ସିଟ୍‌ ସମ୍ବନ୍ଧୀୟ କାମ ଆରମ୍ଭ କରିବାକୁ ମଙ୍ଗଳବାର ଦିନ ବିଶ୍ୱଭାରତୀ ପ୍ରିନ୍‌ସିପାଲ୍‌ମାନଙ୍କର ଏକ ବୈଠକ ଡକାଇଥିଲା।

ଘରୋଇ ପ୍ରତିଷ୍ଠାନଗୁଡ଼ିକରେ କ୍ୱୋଟା ରିଜର୍ଭେସନ୍‌ ପଲିସି କାର୍ଯ୍ୟକାରୀ କରାଇବାକୁ ସମ୍ପ୍ରତି ସରକାର ବାଇଲଜ୍‌ ପ୍ରସ୍ତୁତି କରୁଛନ୍ତି। ୨୦୧୭-୧୮ ବର୍ଷରେ ହୋଇଥିବା ଅଲ୍‌ ଇଣ୍ଡିଆ ସର୍ଭେ ଅନ୍‌ ହାଇଅର୍‌ ଏଡୁକେସନ୍‌ ଅନୁସାରେ, ଦେଶରେ ୨୫, ୩୮୩ଟି ଅନୁବନ୍ଧିତ ଘରୋଇ କଲେଜ, ୩୪୩ଟି ଘରୋଇ ବିଶ୍ୱବିଦ୍ୟାଳୟ ଏବଂ ୬, ୭୦୦ଟି ସମ୍ପୂର୍ଣ୍ଣ ଘରୋଇ ଶିକ୍ଷା ପ୍ରତିଷ୍ଠାନ ରହିଛି।

ସମ୍ବନ୍ଧିତ ଖବର