ନୂଆଦିଲ୍ଲୀ: ଦେଶରେ ରହିଥିବା ନିର୍ବାଚିତ ପ୍ରତିନିଧିଙ୍କ ନାମରେ ଥିବା ଅପରାଧୀକ ମାମଲାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ଲାଗି କେନ୍ଦ୍ର ରାଜି ବୋଲି ମଙ୍ଗଳବାର ସୁପ୍ରିମ୍କୋର୍ଟକୁ ଜଣାଇଛି। ୨୦୧୪ ମସିହାରେ, ସମୁଦାୟ ୧,୫୮୧ ସାଂସଦ ଏବଂ ବିଧାୟକଙ୍କ ନାମରେ ୧୩,୫୦୦୦ ମାମଲା ରୁଜ୍ଜୁ ହୋଇଥିଲା। ସେବେଠାରୁ ନେଇ ଏଯାବତ୍ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ମାମଲାର ବିଚାର ନ ହୋଇ ପାରୁଥିବାରୁ ଦୀର୍ଘ ଦିନ ପରେ ବି ଅଭିଯୁକ୍ତ ପ୍ରତିନିଧିମାନେ ନିଜ ଆସନରେ ସୁରକ୍ଷିତ ଭାବେ ସ୍ଥିତି ସମ୍ଭାଳି ରହିପାରିଛନ୍ତି। ତେଣୁ ଏହି ମାମଲାଗୁଡ଼ିକର ବିଚାର ଲାଗି ଏକ ସ୍ୱତନ୍ତ୍ର ଅଦାଲତ ଗଠନ ଲାଗି ଦାବି ହେଉଥିଲା। ମଙ୍ଗଳବାର କେନ୍ଦ୍ର ସରକାର ଜନ ପ୍ରତିନିଧିଙ୍କ ନାମରେ ଥିବା ଅପରାଧିକ ମାମଲାର ବିଚାର ଲାଗି ସ୍ୱତନ୍ତ୍ର ଅଦାଲତ ଗଠନ କରାଯିବା ସପକ୍ଷରେ ସର୍ବୋଚ୍ଚଙ୍କୁ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୧୨ଟି ସ୍ୱତନ୍ତ୍ର ଅଦାଲତରେ ଏହି ବିଚାର ଆରମ୍ଭ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କେନ୍ଦ୍ର ମଙ୍ଗଳବାର କହିଛି। ଏଥିପାଇଁ ୭.୮୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପୂର୍ବରୁ ସୁପ୍ରିମ୍କୋର୍ଟଙ୍କୁ କେନ୍ଦ୍ର ଅନେକ ଥର ଦେଶର ଅଭିଯୁକ୍ତ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲା ସଂପର୍କିତ ତଥ୍ୟ ପ୍ରଦାନ ଲାଗି ଅନୁରୋଧ କରିଥିଲା। ଏହା ଦ୍ୱାରା କେତୋଟି ସ୍ୱତନ୍ତ୍ର ଅଦାଲତର ଆବଶ୍ୟକତା ପଡ଼ିବ, ତାହା ସ୍ପଷ୍ଟ ହୋଇପାରିବ।
ଜାଣିରଖନ୍ତୁ ଯେ, ଅପରାଧୀକ ମାମଲା ରହିଥିବା ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରି ତୁରନ୍ତ ନିଷ୍ପତ୍ତି ଶୁଣାଇବା ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ସମର୍ଥନରେ ନିଆଯାଇଛି। ୨୦୧୫ ମସିହାରେ ସୁପ୍ରିମ୍କୋର୍ଟ ଏପରି ସ୍ୱତନ୍ତ୍ର ଅଦାଲତ ଗଠନ କରାଯିବ ବୋଲି ସୂଚନା ଦେଇଥିଲେ। ଚଳିତମାସ ଆରମ୍ଭରେ ସ୍ୱତନ୍ତ୍ର ଅଦାଲତ ଗଠନ ସଂପର୍କରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ମନେ ପକାଇ ଦେବା ପରେ କେନ୍ଦ୍ର ଏଥିରେ ରାଜି ହୋଇଛି।
ସ୍ୱତନ୍ତ୍ର ଅଦାଲତ ଗଠନର ଗୁରୁତ୍ୱ ସଂପର୍କରେ ସୁପ୍ରିମ୍କୋର୍ଟ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ନବୀନ ସିହ୍ନାଙ୍କ ଖଣ୍ଡପୀଠ ମତ ଦେଇ କହିଛନ୍ତି ଯେ ଦେଶରେ ଥିବା ୧୭,୨୦୦ ନିମ୍ନ ଅଦାଲତ ୪,୨୦୦ ମାମଲାର ବିଚାର କରୁଛନ୍ତି।
ଏପରିକି ଗତମାସରେ ନିର୍ବାଚନ କମିସନ(ଇସି) ପ୍ରଥମ ଥର ପାଇଁ କହିଥିଲେ ଯେ ଅପରାଧୀ ସାଂସଦ ଏବଂ ବିଧାୟକଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ନ ମିଳିବା ଉଚିତ। ଶୁଣାଣି ସମୟରେ ଇସି କୋର୍ଟଙ୍କୁ କହିଥିଲେ କି ରାଜନୀତିରେ ଅପରାଧ ରୋକିବା ଆଇନର କାମ।
ପ୍ରଥମ ଶୁଣାଣି ସମୟରେ, ନିର୍ବାଚନ କମିସନଙ୍କ ନିରବତା ନେଇ ସୁପ୍ରିମ୍କୋର୍ଟ ପ୍ରଶ୍ନ ଉଠାଇଥିଲେ। ଏହି ମାମଲାରେ ଇସି କାହିଁକି ହସ୍ତକ୍ଷେପ କରୁନାହିଁ ବୋଲି ପଚାରିଥିଲେ। ଏହାର ସଫେଇ ଦେଇ ଇସି ପକ୍ଷରୁ ବରିଷ୍ଠ ଓକିଲ ମିନାକ୍ଷୀ ଆରୋରା ଏବଂ ମୋହିତ ଡି ରାମ କହିଥିଲେ କି ଅପରାଧୀ ପ୍ରତିନିଧିଙ୍କ ଖିଲାପ ନିଷ୍ପତ୍ତି ନେବା ପାଇଁ ଇସି ପ୍ରଥମରୁ ହିଁ ଆଇନରେ ସଂଶୋଧନ ଆଣିବା ନେଇ କେନ୍ଦ୍ରକୁ ପରାମର୍ଶ ଦେଇ ସାରିଛନ୍ତି।