କେନ୍ଦ୍ର କହିଲା ‘ଭୟଙ୍କର ବିପର୍ଯ୍ୟୟ’
କେରଳ ପରିସ୍ଥିତି ସୁଧୁରୁଛି, ମହାମାରୀ ମୁକାବିଲା ଜୋର୍ଦାର୍, କେନ୍ଦ୍ର ପଠାଇଲା ୬୦ ଟନ୍ ଔଷଧ
ନୂଆଦିଇ୍ଲୀ : କେରଳ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଦାବି ହେଉଥିବା ବେଳେ କେନ୍ଦ୍ର ସରକାର ଆଜି ଏହାକୁ ଭୟଙ୍କର ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। କେରଳ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ଯେ କୌଣସି ବିପର୍ଯ୍ୟୟକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଆଇନଗତ ବ୍ୟବସ୍ଥା ନାହିଁ। ତେବେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଯେଉଁ ଧରଣର କ୍ଷତି ଘଟିଛି ତାହା ସବୁଦୃଷ୍ଟିରୁ ଭୟଙ୍କର ବୋଲି କୁହାଯାଇପାରିବ। ଏହି ବିପର୍ଯ୍ୟୟକୁ ନେସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଗାଇଡ୍ଲାଇନ୍ସ ଅନୁଯାୟୀ ‘ଏଲ୍୩ ଲେଭେଲ ଡିଜାଷ୍ଟର’ ତାଲିକାଭୁକ୍ତ କରାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଯେତେବଡ଼ ଧରଣର ବିପ୍ତତ୍ତି ହୋଇଥିଲେ ମଧ୍ୟ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ବ୍ୟବସ୍ଥା ନାହିଁ। ଏହା କେବଳ କଥାରେ କୁହାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ କେରଳର କ୍ଷମତାସୀନ ବାମ ସାମ୍ମୁଖ୍ୟ ଏବଂ କଂଗ୍ରେସ କେରଳ ବନ୍ୟାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିବାକୁ ଦାବି କରିଥିଲେ। ୧୦ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୧୪ଟି ମଧ୍ୟରୁ ୧୩ଟି ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଚଳିତ ମାସ ବର୍ତମାନ ସୁଦ୍ଧା ୧୬୪ ଭାଗ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସରକାରୀ ଭାବେ ୨୩୯ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଗତ ଜୁନରୁ ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ତମାନ ସୁଦ୍ଧା ୯ ଲକ୍ଷ ଲୋକଙ୍କୁ ୫ ହଜାର ୬୪୫ଟି ରିଲଇଫ୍ କ୍ୟାମ୍ପରେ ରଖାଯାଇଛି। ୧୦ ହଜାର କିଲୋମିଟର ରାସ୍ତା ଧୋଇ ହୋଇଯାଇଥିବା ବେଳେ ପୋଲଗୁଡ଼ିକ ଭାଙ୍ଗିଯାଇଛି। ରେଳ ଓ ବିମାନ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ବର୍ଷା ଓ ବନ୍ୟା ଯୋଗୁଁ ୨୦ ହଜାର କୋଟି
ଟଙ୍କାର କ୍ଷତି ହୋଇଛି ବୋଲି ରାଜ୍ୟ ସରକାର ପ୍ରାଥମିକ ଆକଳନ କରିଛନ୍ତି। ଏବେ ବି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରାଜ୍ୟର ତିନିଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଅଞ୍ଚଳରେ ବର୍ଷା ବନ୍ଦ ରହିଥିବାରୁ ନଦୀଗୁଡ଼ିକରେ ଜଳ ପତ୍ତନ ହ୍ରାସ ପାଇବାରେ ଲାଗିଛି। ସରକାର ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିଛନ୍ତି।
ଯେଉଁ ଅଞ୍ଚଳ ବିଚ୍ଛିନ୍ନ ହୋଇଥିଲା ସେଠାରେ ପହଂଚିବା ଲାଗି ଉଦ୍ୟମ ଚାଲିଛି। ଖାଦ୍ୟ, ପାଣି ଓ ଔଷଧ ଯୋଗାଇବା ଲାଗି ହେଲିକପଟର, ବିମାନ ଓ ମୋଟରବୋଟ୍ସର ସହାୟତା ନିଆଯାଉଛି। ଏଥିରେ ହଜାର ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି।
ତେବେ ମହାମାରୀ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ରାଜ୍ୟର ପ୍ରାୟ ସାଢ଼େ ତିନି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ଏହାର ମୁକାବିଲା ଲାଗି ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ବିମାନ ଜରିଆରେ ୬୦ ଟନ୍ ଜରୁରିକାଳୀନ ଔଷଧ ପଠାଇାକୁ ବ୍ୟବସ୍ଥା କରିଥିବା ଜଣାପଡ଼ିଛି।