ସେନାର ବିରୋଧ ସତ୍ତ୍ୱେ ରମଜାନ ମାସରେ ଅସ୍ତ୍ରବିରତି ପାଇଁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ସେନାର ବିରୋଧ ସତ୍ତ୍ୱେ ଚଳିତ ରମଜାନ ମାସରେ ଆତଙ୍କବାଦ ବିରୋଧୀ ଅପରେସନ ସ୍ଥଗିତ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଏହି ନିଷେଧାଜ୍ଞା ଜୁନ ୨୬ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ପର୍ଯ୍ୟନ୍ତ ଚାଲିବ । ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏଥିପାଇଁ ଗତ ୯ ତାରିିଖରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।

ତେବେ ଏପରି ଅସ୍ତ୍ରବିରତି ପାଇଁ ସେନା ପୂର୍ବରୁ ହିଁ ନିଜର ଅସନ୍ତୋଷ ଜଣାଇଥିଲା । ସେ ରମଜାନ ମାସ ହେଉ ବା ଅମରନାଥ ଯାତ୍ରା ଆତଙ୍କବାଦୀ ସଂପୂର୍ଣ୍ଣ ନିପାତ ନ ହେବା ପର୍ଯ୍ୟନ୍ତ ଅପରେସନ ଚାଲୁ ରଖିବାକୁ ସେନା ଚାହୁଁଥିଲା ।

ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏହି ଅପରେସନ ଫଳରେ ଏବେ ଆତଙ୍କବାଦୀମାନେ ବେଶ ଚାପରେ ଅଛନ୍ତି । ସେମାନଙ୍କର ଅନେକ କମାଣ୍ଡର ନିପାତ ହୋଇଗଲେଣି । ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ସେନା ପ୍ରାୟ ୫୬ ଜଣ ଆତଙ୍କବାଦୀଙ୍କୁ ସଫା କରିଛି । ସ୍ଥିତି ଏପରି ହୋଇଛି ଯେ ସୀମା ସେପଟୁ ଲସ୍କର-ଇ-ତୋଇବା, ଜୈସ-ଇ-ମୁହମ୍ମଦ, ହିଜବୁଲ ଆଦି ଆତଙ୍କୀ ସଂଗଠନର ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ କରିବାକୁ ଡରୁଛନ୍ତି । ଏଣୁ ଏବେ କାଶ୍ମୀର ଉପତ୍ୟାକାରେ ଥିବା ପ୍ରାୟ ୮୦ରୁ ୧୦୦ ଆତଙ୍କବାଦୀ ମୁଖ୍ୟତଃ ସ୍ଥାନୀୟ ଯୁବକ । ସେମାନେ ପ୍ରଶିକ୍ଷିତ ନୁହଁନ୍ତି । ଏଣୁ ସେମାନଙ୍କୁ ନିପାତ କରିବା ପାଇଁ ଆଉ ମାତ୍ର କିଛି ମାସ ସମୟ ଦରକାର । ଏପରିସ୍ଥିତିରେ ଅସ୍ତ୍ରବିରତି କଲେ ଆତଙ୍କବାଦୀମାନେ ପୁଣି ଥରେ ସଂଗଠିତ ହେବାକୁ ସମୟ ପାଇବେ । ସେମାନଙ୍କ ଉପରେ ଥିବା ଚାପକୁ ବଜାୟ ରଖିବାକୁ ଚାହୁଁଛି ଭାରତୀୟ ସେନା ।

ସମ୍ବନ୍ଧିତ ଖବର