ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଣୁଛି ପ୍ରସ୍ତାବ: ଏଣିକି ସବୁ ଗର୍ଭବତୀ ମହିଳାଙ୍କ ସକାଶେ ବାଧ୍ୟତାମୂଳକ ହୋଇପାରେ ଏହି ଡାକ୍ତରୀ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ନିକଟରେ ଏକ ନୂଆ ନୀତି ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ରଖିଛନ୍ତି। ପ୍ରସ୍ତାବ ମୁତାବକ ପ୍ରତ୍ୟେକ ଗର୍ଭବତୀ ମହିଳା ଓ ଶିଶୁର ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି  ଜେନେଟିକ୍‌ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ହୋଇପାରେ।

ଫଳରେ ଥାଲେସେମିଆ, ସିକଲ୍‌ ସେଲ୍‌ ଆନେମିଆ ଆଦି ବଂଶାନୁକ୍ରମିକ ରୋଗ ପାଇଁ ସତର୍କତା ଅବଲମ୍ବନ କରାଯାଇ ପାରିବ। ଗର୍ଭବତୀମାନଙ୍କୁ ସେହି ଅନୁସାରେ ଚିକିତ୍ସା ପ୍ରଦାନ କରାଯିବ।

ମୁଖ୍ୟତଃ ଯେଉଁ ପରୀକ୍ଷାଗୁଡ଼ିକ କରାଯିବ ସେଗୁଡ଼ିକରୁ ଡିଏନ୍‌ଏ ଅନୁଶୀଳନ କରାଯିବ ବୋଲି ଜାଣିବାକୁ ମିଳିଛି। ଏହା କେବଳ ମହିଳାଙ୍କର ନୁହେଁ, ସମୟେ ସମେୟ ତାଙ୍କ ସାଥୀଙ୍କର ବି ପରୀକ୍ଷା କରାଯିବ। ଫଳରେ ମହିଳା କିମ୍ବା ବଂଶର ଜିନ୍‌ରେ ଥିବା ସମସ୍ୟା ଶିଶୁକୁ ପ୍ରଭାବିତ କରିବା କି ନାହିଁ ତାହା ଜାଣିହେବ।

ସାଧାରଣତଃ ଯେଉଁ ମହିଳାମାନେ ୩୫ ବର୍ଷ ପରେ ପିଲା ଜନ୍ମ ଦେଉଛନ୍ତି ସେମାନଙ୍କ ପାଇଁ ଗର୍ଭଧାରଣ ଓ ପ୍ରସବ ଉଭୟ କଠିନ ବ୍ୟାପାର ହୋଇଥାଏ। ଏହିପରି କ୍ଷେତ୍ରରେ ପରୀକ୍ଷଣ ନିହାତି ଜରୁରୀ ହୋଇଥାଏ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜେନେଟିକ୍‌ ସ୍କ୍ରିନିଂ ପରୀକ୍ଷଣ ଉଭୟ ମାଆ ଓ ଭ୍ରୁଣ କାହା ପାଇଁ ବି କ୍ଷତିକାରକ ନୁହେଁ।

ଯଦି କେହି ମହିଳାଙ୍କର ଜେନେଟିକ୍‌ ସ୍କ୍ରିନିଂ ଟେଷ୍ଟ୍‍ ରିପୋର୍ଟ ପଜିଟିଭ୍‌ ବାହାରେ ତେବେ ସେ ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ସମାଧାନ କାଢ଼ି ପାରିବେ। ଏହି ପରୀକ୍ଷା କରିବା ପାଇଁ ରକ୍ତ, କେଶ, ତ୍ୱଚା, ଟିସୁ ଆଦି ନମୂନା ଗ୍ରହଣ କରାଯାଇଥାଏ।

ସମ୍ବନ୍ଧିତ ଖବର