ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ନିର୍ମାଣ ହେବ ୧୪,୪୬୦ ବଙ୍କର

ରାଜସ୍ଥାନ ସୀମାରେ ଉଭୟ ପାକିସ୍ତାନୀ ଓ ଚୀନ୍‌ ସେନାର ୩୫୦ରୁ ଅଧିକ ବଙ୍କର ନିର୍ମାଣ

ଜମ୍ମୁ: ପାକିସ୍ତାନକୁ ଅସ୍ତ୍ର କରି ଚୀନ୍‌ ଭାରତୀୟ ଅଞ୍ଚଳ ଦଖଲ କରିବା ଓ ଚାପ ସୃଷ୍ଟି କରିବାକୁ ବିଶାଳ ଷଡ଼ଯନ୍ତ୍ର ଆରମ୍ଭ କରିବା ପରେ ସୀମା ନିକଟରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମା ନିକଟରେ ୧୪,୦୦୦ରୁ ଅଧିକ ଗୋଷ୍ଠୀ ଓ ବ୍ୟକ୍ତିଗତ ବଙ୍କର ନିର୍ମାଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜମ୍ମୁ ଡିଭିଜନ ଅଫିସ୍‌ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।

ପୁଞ୍ଛ ଓ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ୭୨୯୮ ବଙ୍କର ନିର୍ମାଣ ହେବାକୁ ଥିବାବେଳେ ଜମ୍ମୁ, କାଥୁଆ ଓ ସମ୍ବା ଜିଲ୍ଲାରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ୭୧୬୨ ବଙ୍କର ନିର୍ମାଣ ହେବ। କେନ୍ଦ୍ର ସରକାର ନିକଟରେ ୧୪,୪୬୦ ଗୋଷ୍ଠୀ ଓ ବ୍ୟକ୍ତିଗତ ବଙ୍କର ନିର୍ମାଣ ପାଇ ୪୧୫.୭୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯୋଜନା ଅନୁସାରେ ୧୩,୦୨୯ଟି ଗୋଷ୍ଠୀ ଓ ୧୪୩୧ଟି ବ୍ୟକ୍ତିଗତ ବଙ୍କର ନିର୍ମାଣ ହେବ।

ଜଣେ ଅଧିକାରୀ କହିଛନ୍ତି, ୧୬୦ ବର୍ଗ ଫୁଟ ବିଶିଷ୍ଟ ବ୍ୟକ୍ତିଗତ ବଙ୍କରରେ ୮ଜଣ ଓ ୮୦୦ ବର୍ଗଫୁଟ ଗୋଷ୍ଠୀ ବଙ୍କରରେ ୪୦ଜଣ ଲୋକ ରହି ପାରିବେ। ସେହିଭଳି ରାଜୌରୀରେ ୪୯୧୮ ବ୍ୟକ୍ତିଗତ ଓ ୩୭୨ ଗୋଷ୍ଠୀ ବଙ୍କର ନିର୍ମାଣ ହେବ। କାଥୁଆରେ ୩୦୭୬ ବ୍ୟକ୍ତିଗତ ଓ ୨୪୩ ଗୋଷ୍ଠୀ ବଙ୍କର ନିର୍ମାଣ ହେବ।

ପୁଞ୍ଛରେ ୬୮୮ ଗୋଷ୍ଠୀ ଓ ୧୩୨୦ ବ୍ୟକ୍ତିଗତ ବଙ୍କର ନିର୍ମାଣ ହେବାକୁ ଥିବାବ ବେଳେ ଜମ୍ମୁରେ ୧୨୦୦ ବ୍ୟକ୍ତିଗତ ଓ ୧୨୦ ଗୋଷ୍ଠୀ ବଙ୍କର ନିର୍ମାଣ ହେବ।

ସୂଚନାଯୋଗ୍ୟ, ପାକିସ୍ତାନ ସୀମାରେ ଗତ କିଛିଦିନ ହେବ ଚୀନ୍‌ର ସେନା ଛାଉଣୀ ଦେଖିବାକୁ ମିଳୁଥିବା ବେଳେ କଶ୍ମୀରଠାରୁ ଗୁଜରାଟ ପର୍ଯ୍ୟନ୍ତ ଭାରତ-ପାକ୍‌ ସୀମାରେ ଚୀନ୍‌ ନିଜର ଆଧିପତ୍ୟ ଜାହିର କରିଚାଲିଛି। ବିଗତ ୪ ମାସ ମଧ୍ୟରେ ଭାରତୀୟ ସୀମାକୁ ଲାଗି ଚୀନ୍‌ ପାକିସ୍ତାନ ମାଟିରେ ଦୁଇଟି ବଡ଼ ଧରଣର ବିମାନଘାଟି ମଧ୍ୟ ନିର୍ମାଣ କରି ସାରିଛି ଯାହାକି ସାମରିକ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ସେହିଭଳି ରାଜସ୍ଥାନ ସୀମାରେ ଉଭୟ ପାକିସ୍ତାନୀ ଓ ଚୀନ୍‌ ସେନା ୩୫୦ରୁ ଅଧିକ ବଙ୍କର ନିର୍ମାଣ କାର୍ଯ୍ୟରେ ମଧ୍ୟ ଲାଗିଛନ୍ତି। ଉକ୍ତ ବଙ୍କରଗୁଡିକ ଏଭଳି ପଥରରେ ତିଆରି କରାଯାଇଛି ଯାହାକି ଖାଲି ଆଖିରେ ଦେଖିଲେ ବଙ୍କର ଭଳି ଦୃଶ୍ୟମାନ ମଧ୍ୟ ହେବନାହିଁ। କେବଳ ଏତିକି ନୁହେଁ, ଯୁଦ୍ଧ ସମୟରେ ସେନା ବ୍ୟବହାର କରୁଥିବା ପ୍ରତିରକ୍ଷା କେନାଲ, ଜରୁରୀ ପ୍ରସ୍ଥାନ ପଥ ଓ ରାସ୍ତା ମଧ୍ୟ ନିର୍ମାଣ ଚାଲିଛି। ଗୁଇନ୍ଦା ବିଭାଗର ସୂଚନା ମୁତାବକ, ପାକିସ୍ତାନୀ ତୈଳ କମ୍ପାନି ଅନ୍ତର୍ଜାତୀୟ ସୀମାରେଖା ନିକଟରେ ରାସ୍ତା, କେନାଲ ଓ ପେଟ୍ରାଲ ପମ୍ପ ମଧ୍ୟ ନିର୍ମାଣ କରୁଛି। ଭାରତର ଚିରଶତ୍ରୁ ହୋଇ ରହିଥିବା ପାକିସ୍ତାନକୁ ବ୍ୟବହାର କରି ଚୀନ୍‌ ସେଠାରେ ଯେଉଁସବୁ ପ୍ରସ୍ତୁତି ଚଳାଇଛି ତାହା ଭାରତ ପାଇଁ ବଡ଼ ବିପଦ ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଡ଼ିଛି।

ଭାରତକୁ ଘେରିବା ପାଇଁ ଚୀନ୍‌ ଓ ପାକିସ୍ତାନ ମିଳିତ ଭାବେ ଷଡ଼ଯନ୍ତ୍ର ଚଳାଇଥିବା ବେଳେ ଏହାର ମାଧ୍ୟମ ପାଲଟିଛି ଚୀନ୍‌-ପାକ୍‌ ଆର୍ଥିକ କରିଡର (ସିପିଇସି)। ରାଜସ୍ଥାନର ଜୈସଲମେରର ଘୋତ୍ରା ସୀମାଠାରୁ ମାତ୍ର ୨୫ କିମି ଦୂରରେ ଖେଦପୁରଠାରେ ଚୀନ୍‌ ବିମାନଘାଟି ନିର୍ମାଣ କରିଥିବା ବେଳେ ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ଚୀନ୍‌ ସେନା ପଇଁତରା ମାରୁଛନ୍ତି। ଚୀନ୍‌ ଓ ପାକିସ୍ତାନର ଚେଙ୍ଗୁଡ ଜେ-୭, ଜେଏଫ-୧୭ ଯୁଦ୍ଧବିମାନ, ଓ୍ଵାଇ-୮ ରାଡାର ଏବଂ ମିଗ୍‌-୨୧ ପରି ଯୁଦ୍ଧବିମାନ ଏହି ଘାଟିରେ ରହୁଛି। ସେହିଭଳି ଗୁଜରାଟ ସୀମାରୁ ମଧ୍ୟ ମାତ୍ର ୨୦ କିମି ଦୂରରେ ଏକ ବିମାନଘାଟି ନିର୍ମାଣ ଚାଲିଛି। ଉକ୍ତ ଅଞ୍ଚଳରେ ଚୀନ୍‌-ପାକିସ୍ତାନ କ୍ୟାରିଅର୍‌ ନାମକ ଏକ ରେଳ ଲାଇନ୍‌ ବିଛାଇବା ପାଇଁ ମଧ୍ୟ ଯୋଜନା ଚାଲିଥିବା ଖବର ମିଳିଛି।

ସମ୍ବନ୍ଧିତ ଖବର