‘ଇଲେକ୍ଟ୍ରୋରାଲ ବଣ୍ଡ’କୁ ନେଇ ସୁପ୍ରିମ୍‌ କୋର୍ଟରେ ମୁହାଁମୁହିଁ ହେଲେ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ

0

ନୂଆଦିଲ୍ଲୀ: ମୋଦି ସରକାରଙ୍କର ‘ଇଲେକ୍ଟ୍ରୋରାଲ ବଣ୍ଡ’କୁ ନେଇ ଆଜି ସୁପ୍ରିମ୍‌ କୋର୍ଟରେ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଓ ନିର୍ବାଚନ କମିଶନ। ‘ଇଲେକ୍ଟ୍ରୋରାଲ ବଣ୍ଡ’କୁ ବିରୋଧ କରି ଏହାକୁ ବନ୍ଦ କରିବା ପାଇଁ ନିର୍ବାଚନ କମିଶନ ସୁପ୍ରିମ୍‌ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିବା ପରେ ଆଜି ଏହା ଉପରେ ନିଜର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରାଳୟ ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛି ଯେ ‘ଇଲେକ୍ଟ୍ରୋରାଲ ବଣ୍ଡ’ ପ୍ରସଙ୍ଗରେ ନିର୍ବାଚନ କମିଶନ ତାଙ୍କ ସତ୍ୟପାଠରେ ଯାହା ସବୁ କହିଛନ୍ତି ଏବଂ ଯାହା ସବୁ ଆଶଙ୍କା କରିଛନ୍ତି, ସେସବୁ ଆଧାରହୀନ ଏବଂ ଏହାର କୌଣସି ପ୍ରକାରର ‘ଆଇନଗତ ବା ତଥ୍ୟଗତ’ ଭିତ୍ତି ନାହିଁ। ‘ଇଲେକ୍ଟ୍ରୋରାଲ ବଣ୍ଡ’ ଯୋଜନା ଦ୍ୱାରା ଦେଶର ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିର ସ୍ୱଚ୍ଛତା ରକ୍ଷା ଗଭୀର ଭାବେ ପ୍ରଭାବିତ ହେବ; ଏବଂ ରାଜନୈତିକ ଦଳଗୁଡ଼ିକୁ ବେନାମୀ ଚାନ୍ଦା ବୃଦ୍ଧି ପାଇବା ସହ ବିଦେଶୀ କମ୍ପାନିମାନଙ୍କ ଦ୍ୱାରା ଦେଶର ରାଜନୀତି ପ୍ରଭାବିତ ଓ ପରିଚାଳିତ ହେବ ବୋଲି ନିର୍ବାଚନ କମିଶନଙ୍କ ଆଶଙ୍କା ସଂପୂର୍ଣ୍ଣ ଅମୂଳକ। କାରଣ, ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ପାଣ୍ଠିର ଅଧିକ ସ୍ୱଚ୍ଛତା ରକ୍ଷା ପାଇଁ ସରକାର ‘ଇଲେକ୍ଟ୍ରୋରାଲ ବଣ୍ଡ’ କାର୍ଯ୍ୟକାରୀ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମ୍‌ କୋର୍ଟଙ୍କୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମୋଦି ସରକାର ଗତ ୨୦୧୮ ଜାନୁଆରି ୨ ତାରିଖରେ ଏହି ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’ ଯୋଜନାକୁ ଦେଶରେ କାର୍ଯ୍ୟକାରୀ କରିଥିଲେ। ଏହି ଯୋଜନା ଅନୁସାରେ ଯେ କେହି ଭାରତୀୟ ନାଗରିକ ବା କର୍ପୋରେଟ୍‌ ହାଉସ୍‌ ବା ଭାରତରେ ରହି ବ୍ୟବସାୟ କରୁଥିବା ଯେ କେହି ବିଦେଶୀ ସଂସ୍ଥା ଏହି ବଣ୍ଡ କିଣି ପାରିବେ। ବଣ୍ଡ କିଣୁଥିବା ବ୍ୟକ୍ତିଙ୍କ ପରିଚୟ କେବଳ ବ୍ୟାଙ୍କ୍‌ ନିକଟରେ ସଂପୂର୍ଣ୍ଣ ଗୋପନୀୟ ହୋଇ ରହିବ। କେବଳ ମାତ୍ର ଭାରତୀୟ ଷ୍ଟେଟବ୍ୟାଙ୍କ୍‌ରେ ଏହି ବଣ୍ଡ ଉପଲବ୍ଧ ହେବ। ୧ ହଜାର ଠାରୁ ଆରମ୍ଭ କରି ୧୦ ହଜାର, ୧ ଲକ୍ଷ, ୧୦ଲକ୍ଷ ଏପରିକି ୧ କୋଟି ଟଙ୍କା ମୂଲ୍ୟର ବଣ୍ଡ ଉପଲବ୍ଧ ହେବ। ଜଣେ ବ୍ୟକ୍ତି ଚାହିଁଲେ ଯେତେ ଇଚ୍ଛା ସେତେ ମୂଲ୍ୟର ବଣ୍ଡ କିଣି ପାରିବ। ତେବେ, ଏହି ବଣ୍ଡରେ କିଣୁଥିବା ବ୍ୟକ୍ତି ଚାନ୍ଦା ଦେଉଥିବା ବ୍ୟକ୍ତିର ନାମ ବା ଅନ୍ୟ କିଛି ବି ଉଲ୍ଲେଖ ରହିବ ନାହିଁ। ଏହି ବଣ୍ଡଗୁଡ଼ିକ ୧୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ। ଏହି ସମୟ ମଧ୍ୟରେ ଯେଉଁ ରାଜନୈତିକ ଦଳଗୁଡ଼ିକୁ ଏହି ବଣ୍ଡ ମିଳିଥିବ କେବଳ ସେମାନେ ସେମାନଙ୍କ ବ୍ୟାଙ୍କ୍‌ର ଜମାଖାତାରେ ବଣ୍ଡଗୁଡ଼ିକୁ ଜମା କଲାପରେ ବଣ୍ଡର ମୂଲ୍ୟ ଅନୁଯାୟୀ ଅର୍ଥରାଶି ସେମାନଙ୍କ ଜମାଖାତାରେ ଜମା ହୋଇଯିବ।

ତେବେ, ‘ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ୍‌’କୁ ବିରୋଧ କରି ନିର୍ବାଚନ କମିଶନ ସୁପ୍ରିମ୍‌ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ନିର୍ବାଚନ କମିଶନ କହିଥିଲେ ଯେ ଏହି ଯୋଜନା ଦ୍ୱାରା ଦେଶର ରାଜନୈତିକ ଦଳଗୁଡ଼ିକୁ ବେନାମୀ କର୍ପୋରେଟ ଚାନ୍ଦା ମିଳିବା ବୃଦ୍ଧି ପାଇବା ସହ କଳାଧନ ସବୁ ଧଳା ହୋଇ ରାଜନୈତିକ ଦଳଗୁଡ଼ିକର ଜମାଖାତାରେ ଜମା ହେବ। ଅନ୍ୟପକ୍ଷରେ ରାଜନୈତିକ ଦଳଗୁଡ଼ିକ ସଂଗ୍ରହ କରୁଥିବା ପାଣ୍ଠି ବା ସେମାନଙ୍କୁ ମିଳୁଥିବା ଆର୍ଥିକ ଚାନ୍ଦା ଉପରେ ନିର୍ବାଚନ କମିଶନଙ୍କର କୌଣସି ପ୍ରକାରର କର୍ତ୍ତୃତ୍ୱ ରହିବ ନାହିଁ ବୋଲି ମଧ୍ୟ ଦର୍ଶାଇଥିଲେ ନିର୍ବାଚନ କମିଶନ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.