ନିକାହ ହଲାଲା ଓ ବହୁ ବିବାହ ପ୍ରଥା ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟଙ୍କ ଆବେଦନକୁ ସମର୍ଥନ କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୁସଲମାନ ସଂପ୍ରଦାୟରେ ପ୍ରଚଳିତ ଥିବା ୩ ତଲାକ ପ୍ରଥାକୁ ବେଆଇନ ଘୋଷଣା କରି ମହିଳାମାନଙ୍କୁ ଅବାଞ୍ଛିତ ବିବାହ ବିଚ୍ଛେଦରୁ ସୁରକ୍ଷା ଦେବାକୁ ଠୋସ ପଦକ୍ଷେପ ନେଇଛନ୍ତି। ଏବେ ସେଭଳି କେନ୍ଦ୍ର ସରକାର ନିକାହ ହଲାଲା ଓ ବହୁ ବିବାହ ପ୍ରଥା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ସଙ୍କେତ ଦିଆଯାଇଛି । ମିଳିଥିବା ଖବର ଅନୁସାରେ, ଏ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବଦେନକୁ କେନ୍ଦ୍ର ସମର୍ଥନ କରିବ ବୋଲି ସୂଚନା ମିଳିଛି । ଗତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ବହୁ ବିବାହ ନିକାହ ହଲାଲା ପ୍ରଥାକୁ ବିରୋଧ କରି ହୋଇଥିବା ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ । ଏହା ସହ କେନ୍ଦ୍ର ସରକାର ଓ ଆଇନ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ । ତିନି ତଲାକ ଶୁଣାଣି ବେଳେ ସରକାର ନିକାହ ହଲାଲା ଓ ବହୁବିବାହ ପ୍ରଥାକୁ ସାମିଲ କରିନଥିଲେ । ଏ ନେଇ ସରକାରଙ୍କ ଜବାବ ବି ପ୍ରସ୍ତୁତ ହୋଇସାରିଛି ଓ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସରକାର ନିଜ ପକ୍ଷ ରଖିବେ ବୋଲି ସୂଚନା ମିଳିଛି ।

ନିକାହ ହଲାଲା କ’ଣ ?

NewsGram

• ଇସଲାମ ଧର୍ମରେ ତଲାକ୍ ଅର୍ଥାତ୍ ଛାଡପତ୍ର ହୋଇଥିବା ପତି-ପତ୍ନୀ ପୁଣି ଥରେ ପରସ୍ପରକୁ ବିବାହ କରିବା ପ୍ରକ୍ରିୟାକୁ କୁହାଯାଏ ନିକାହ ହଲାଲା ।

• ତଲାକ୍ ପରେ ସିଧାସଳଖ ପୁଣି ଥରେ ପରସ୍ପରକୁ ନିକାହ ଅର୍ଥାତ୍ ବିବାହ କରିପାରିବେନି ପତି-ପତ୍ନୀ ।

• ତଲାକ୍ ପରେ ଅନ୍ୟଜଣଙ୍କୁ ବିବାହ କରିବା ପରେ ହିଁ ପୂର୍ବ ସ୍ୱାମୀ ସହ ପୁଣି ଥରେ ନିକାହ କରିପାରିବେ ପତ୍ନୀ ।

• ତେବେ ନିକାହ ହଲାଲାରେ ସାଧାରଣତଃ ମୌଲବୀମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି ।

• ତଲାକ୍ ସୁଦା ପତ୍ନୀ ବା ଛାଡପତ୍ର ପାଇଥିବା ପତ୍ନୀ ମୌଲବୀଙ୍କ ସହ ଏକାଠି ରହିବା ପରେ ହିଁ ପୂର୍ବ ସ୍ୱାମୀଙ୍କ ସହ ପୁଣି ବିବାହ କରିପାରିବେ ।

ସମ୍ବନ୍ଧିତ ଖବର