ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଆଇନ୍‌ଜୀବୀଙ୍କ ନିଯୁକ୍ତିକୁ ବିରୋଧ ‘ଅଚିନ୍ତନୀୟ’, ‘ଅକଳ୍ପନୀୟ’, ‘ଅବାସ୍ତବ’, ଓ ‘ଅଶ୍ରୁତ’: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର ବିଚାରପତି ରୂପେ ଇନ୍ଦୁ ମାଲହୋତ୍ରାଙ୍କ ନିଯୁକ୍ତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇବାକୁ ଥିବା ଓ୍ଵାରେଣ୍ଟ ଉପରେ ରହିତାଦେଶ ଜାରି କରିବାକୁ ଆଜି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ମନା କରି ଦେଇଛନ୍ତି। ଏଥିସହ ଏସଂକ୍ରାନ୍ତରେ ଆଗତ ଏକ ଯାଚିକାର ଶୁଣାଣି କରି ଏହାକୁ ‘ଅଚିନ୍ତନୀୟ’, ‘ଅକଳ୍ପନୀୟ’, ‘ଅବାସ୍ତବ’, ଓ ‘ଅଶ୍ରୁତ’ ବୋଲି କହି ଖାରଜ କରି ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟର ଅନ୍ୟତମ ବିଚାରପତି ଭାବେ ଛତିଶଗଡ଼ର ମୁଖ୍ୟ ବିଚାରପତି କେ. ଏମ୍‌ ଯୋସେଫ୍‌ଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇ ନଥିବା ପରିପ୍ରେକ୍ଷୀରେ ବିଚାରପତି ଭାବେ ଇନ୍ଦୁ ମାଲହୋତ୍ରାଙ୍କ ନିଯୁକ୍ତକୁ ଅଟକାଇ ରଖାଯାଇ ପାରିବ ନାହିଁ।

ଏସଂପର୍କରେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ଆଇନ୍‌ଜୀବୀ ଇନ୍ଦିରା ଜୟସିଂହଙ୍କ ପକ୍ଷରୁ ଆଗତ ଏକ ଯାଚିକାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ. ଏମ୍‌ ଖାନ୍‌ଓ୍ଵିଲକର ଓ ଜଷ୍ଟିସ୍‌ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ କଲେଜିୟମର ସୁପାରିସକୁ କାର୍ଯ୍ୟକାରୀ କରିବା ପୂର୍ବରୁ ସଂପୃକ୍ତ ସୁପାରିସ୍‌ର ପୁନର୍ବିଚାର କରିବାକୁ ତା’କୁ ଆଉଥରେ କଲେଜିୟମକୁ ଫେରାଇ ଦେବାର ଅଧିକାର ସରକାରଙ୍କ ପାଖରେ ରହିଛି। ତେଣୁ, ଏହାକୁ ଆଧାର କରି ଅନ୍ୟ କାହାର ନିଯୁକ୍ତି ଉପରେ ରହିତାଦେଶ ଜାରି କରା ଯାଇପାରିବ ନାହିଁ। ବାର୍‌ର ଆଇନ୍‌ଜୀବୀମାନଙ୍କ ମଧ୍ୟରୁ ଜଣଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ମିଳୁଥିବା ବେଳେ ତାଙ୍କ ନିଯୁକ୍ତିକୁ ବିରୋଧ କରି ଖୋଦ୍‌ ଜଣେ ଆଇନଜୀବୀ ଏକ ଯାଚିକା ଆଗତ କରିବା ସଂପୂର୍ଣ୍ଣ ରୂପେ ‘ଅଚିନ୍ତନୀୟ’, ‘ଅକଳ୍ପନୀୟ’, ‘ଅବାସ୍ତବ’, ଓ ‘ଅଶ୍ରୁତ’ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର।

ସମ୍ବନ୍ଧିତ ଖବର