ବିଶ୍ୱ ନେତୃବୃନ୍ଦଙ୍କୁ ଚୀନ୍‌ର ଚେତାବନୀ

ଦଲାଇ ଲାମାଙ୍କୁ ଭେଟିବା ବଡ଼ ଅପରାଧ

ବେଜିଂ: ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ଅନ୍ୟ ଦେଶର ନେତାମାନେ ଭେଟିବା ଚୀନ୍‌କୁ ଭୀଷଣ ଭାବେ କ୍ଷୁବ୍ଧ କରିଛି। ଏ ସମ୍ପର୍କରେ ଚୀନ୍‌ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଏପରିକି କୌଣସି ବି ପରିସ୍ଥିତିରେ ବିଶ୍ୱ ନେତୃମଣ୍ଡଳୀ ଦଲାଇ ଲାମାଙ୍କୁ ସାକ୍ଷାତ କରିବା ବଡ଼ ଅପରାଧ ବୋଲି ଚୀନ୍‌ ଚେତାଇଦେଇଛି। ତିବ୍ଦତକୁ ଚୀନ୍‌ଠାରୁ ପୃଥକ କରିବାକୁ ଚାହୁଥିବା ଦଲାଇ ଲାମା ଜଣେ ବିଚ୍ଛିନ୍ନତାବାଦୀ। ତେଣୁ ତାଙ୍କୁ କୌଣସି ଦେଶ ବା ନେତା ପ୍ରଶ୍ରୟ ଦେବାକୁ ଚୀନ୍‌ କେବେ କ୍ଷମାଦେବ ନାହିଁ ବୋଲି ଶନିବାର ସ୍ପଷ୍ଟ କରିଛି।

ଦଲାଇ ଲାମାଙ୍କ ସହିତ ବିଶ୍ୱର ଅନ୍ୟ ନେତାମାନଙ୍କ ସାକ୍ଷାତ ବା ଆଲୋଚନାକୁ ଚୀନ୍‌ ଦୃଢ଼ ଭାବେ ବିରୋଧ କରି ଆସିବା ସହ ତିବ୍ଦତକୁ ମଧ୍ୟ ନିଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରିବାକୁ ବିଶ୍ୱ ସମୁଦାୟକୁ ବାଧ୍ୟ କରି ଆସିଛି। ଦଲାଇ ଲାମା ଚୀନ୍‌ ପ୍ରଶାସନ ବିରୋଧରେ ୧୯୫୯ ମସିହାରେ ଆରମ୍ଭ କରିଥିବା ଏକ ଆନ୍ଦୋଳନ ବିଫଳ ହେବା ପରେ ତିବ୍ଦତ ଛାଡ଼ି ଭାରତରେ ଆଶ୍ରୟ ନେଇଥିଲେ। ସେବେ ଠାରୁ ଏହି ନୋବେଲ ପୁରସ୍କାର ବିଜେତା ଧର୍ମଗୁରୁ ତିବ୍ଦତକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦାବି କରି ଆସୁଥିବା ବେଳେ ଚୀନ୍‌ ତାଙ୍କୁ ଏକ ବିଚ୍ଛିନ୍ନତାବାଦୀର ଆଖ୍ୟା ଦେଇ ଆସିଛି। ଏହି ପରିପ୍ରେକ୍ଷୀରେ ଅନ୍ୟ କୌଣସି ବିଦେଶ ରାଷ୍ଟ୍ରକୁ ଦଲାଇ ଲାମାଙ୍କ ଗସ୍ତ ଚୀନ୍‌କୁ ମର୍ମାହତ କରୁଛି। ଚୀନ୍‌ କ୍ରୋଧର ଶିକାର ନହେବା ଲାଗି କିଛି ରାଷ୍ଟ୍ର ମଧ୍ୟ ଦଲାଇ ଲାମାଙ୍କ ସାକ୍ଷାତକୁ ପସନ୍ଦ କରୁନାହାନ୍ତି। ତେବେ କିଛି ରାଷ୍ଟ୍ର ମୁଖ୍ୟ ବ୍ୟକ୍ତିଗତ ସାକ୍ଷାତ କହି ଦଲାଇ ଲାମାଙ୍କୁ ସ୍ୱାଗତ କରୁଛନ୍ତି। ମାତ୍ର ଚୀନ୍‌ ଏହାକୁ ବରଦାସ୍ତ କରୁନାହିଁ। ଏପରିକି ଚଳିତ ବର୍ଷ ଦଲାଇ ଲାମାଙ୍କ ଭାରତର ଅରୁଣାଚଳ ପ୍ରଦେଶ ସମେତ ବିଭିନ୍ନ ପୂର୍ବୋତ୍ତର ରାଜ୍ୟ ପରିଦର୍ଶନକୁ ଚୀନ ଦୃଢ଼ ବିରୋଧ କରିଥିଲା। ତେବେ ଶନିବାର ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ତିବ୍ଦତ ମୁଖ୍ୟ ଝାଂ ଯିଜିୟୋଂ ଚେତାବନୀ ଦେଇଛନ୍ତି ଯେ ଦଲାଇ ଲାମାଙ୍କ ସହ ଏପରି ସାକ୍ଷାତ ଚୀନ୍‌ ଦେଶବାସୀଙ୍କ ଭାବାବେଗ ପ୍ରତି ଅପମାନ ସଦୃଶ। ତେଣୁ ଏଥିରୁ ନିବୃତ୍ତ ରହିବା ପାଇଁ ସେ ବିଶ୍ୱ ସମୁଦାୟକୁ ସତର୍କ କରାଇ ଦେଇଛନ୍ତି। କୌଣସି ଦେଶ ବା ନେତା ଦଲାଇ ଲାମାଙ୍କ ସହ ସାକ୍ଷାତ ପୂର୍ବରୁ ଚୀନ୍‌ ସହ ସେମାନଙ୍କ ସମ୍ପର୍କ ଓ ବନ୍ଧୁତ୍ୱ ଏବଂ ସର୍ବୋପରି ଚୀନ୍‌ର ସାର୍ବଭୌମତ୍ୱ କଥା ଭାବିବା ଜରୁରୀ ବୋଲି ଯିଜିୟୋଂ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର