ବୈଠକ ସମ୍ଭାବନା ଏବେ ବି ରହିଛି: ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ଜୁନ୍‌ ୧୨ ତାରିଖରେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ସହ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଶିଖର ବୈଠକକୁ ଗତକାଲି ବାତିଲ କରିଦେବାପରେ ଆଜି ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ବିଭିନ୍ନ ରାଷ୍ଟ୍ରରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ଟ୍ରମ୍ପ୍‌ କହିଛନ୍ତି ଜୁନ୍‌ ୧୨ ତାରିଖରେ ଶିଖର ବୈଠକକୁ ବାତିଲ କରିବା ପାଇଁ ସେ କହିଥିଲେ ମଧ୍ୟ ଏ ବାବଦରେ ସବୁ ଆଶା ମଉଳି ଯାଇନାହିଁ। ଟ୍ରମ୍ପ୍‌ ଗତକାଲି ଶିଖର ବୈଠକ ବାତିଲ କରିଦେବା ପରେ ମଧ୍ୟ ଉତ୍ତର କୋରିଆ ଆଜି ଆମେରକା ସହ ଯେକୌଣସି ସମୟରେ ଆଲୋଚନା କରିବାପାଇଁ ପ୍ରସ୍ତୁତ ଥିବା କହିଥିବାରୁ ଟ୍ରମ୍ପ୍‌ ଏହାକୁ ସ୍ୱାଗତ ଜଣାଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯଦି ଉତ୍ତର କୋରିଆ ଆଲୋଚନା କରିବାକୁ ବ୍ୟାକୁଳ ଭାବେ ଚାହୁଛି, ତେବେ ଆମେ ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରୁଛୁ। ତେଣୁ ଆସନ୍ତା ଜୁନ୍‌ ୧୨ ତାରିଖରେ ଶିଖର ବୈଠକ ହେବା ସମ୍ଭାବନା ଏବେ ବି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର