ଦିଲ୍ଲୀରେ ଆକ୍ରମଣ ଆଶଙ୍କା

୬ ଜୈଶ୍‌ ଆତଙ୍କବାଦୀ ଦିଲ୍ଲୀମୁହାଁ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦିଲ୍ଲୀ ଏବଂ ପଂଜାବରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଛି। ଗତକାଲି ପଂଜାବରେ ପଶିଥିବା ଜୈଶ ସଂଗଠନର ୬ ଜଣ ଆତଙ୍କବାଦୀ ଆଜି ଦିଲ୍ଲୀ ଅଭିମୁଖେ ଯାଇଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏହି ପାକିସ୍ତାନୀ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଦିଲ୍ଲୀ ଏବଂ ପଂଜାବ ପୁଲିସର ୧୪ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଦିଲ୍ଲୀ ରହିଥିବାରୁ ବିଭିନ୍ନ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ହାଇଆଲର୍ଟରେ ରହିଛନ୍ତି। ଆଜି ଅପରାହ୍ନରୁ ବିଭିନ୍ନ ପ୍ରବେଶ ପଥରେ ଯାଞ୍ଚ ଚାଲିଛି ଏବଂ ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ବିଭିନ୍ନ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ଗୁରୁତ୍ବପୂର୍ଣ୍ଣ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନ ଏବଂ ବଜାର ଅଂଚଳରେ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ପଂଜାବର ଫିରୋଜପୁରରୁ ଆତଙ୍କବାଦୀମାନେ ଆଜି ସଡ଼କ ପଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ସିସିଟିଭି କ୍ୟାମେରାରୁ ଜଣାପଡ଼ିଛି। ଯଦି ସେମାନେ ଦିଲ୍ଲୀ ପହଞ୍ଚିପାରିବେ ନାହିଁ ତା’ହେଲେ ପୁଣି ପଂଜାବକୁ ଫେରି ସେଠାରେ ଆକ୍ରମଣ କରିପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି। ସୁରକ୍ଷା ସ୍ଥିତି ନେଇ ଅହରହ ନଜର ରଖାଯାଇଛି ଏବଂ ଏ ବାବଦରେ ଆଜି ଅପରାହ୍ନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି। ଜୈଶ୍‌ର ୬ ଜଣ ଆତଙ୍କବାଦୀ ମଂଗଳବାର ଦିନ ଭାରତରେ ପଶିଥିଲେ ଏବଂ ପଞ୍ଜାବର ପଠାନକୋଟ ଜିଲ୍ଲା ସ୍ଥିତ ମାଧପୁର ଅଞ୍ଚଳରେ ବନ୍ଧୁକ ଦେଖାଇ ଏକ କାର୍‌ ଲୁଟି ନେଇଥିଲେ। ଆତଙ୍କବାଦୀମାନେ ଜମ୍ମୁ ରେଳ ଷ୍ଟେସନ୍‌ରୁ ‌ଜେକେ୦୨ଏଡବ୍ଲ୍ୟୁ-୦୯୨୨ ନମ୍ବର ଥିବା ଏକ ଇନୋଭା ଟାକ୍ସିରେ ପଠାନକୋଟ୍‌ ଅଭିମୁଖେ ଯାତ୍ରା କରିଥିଲେ। ନିଜକୁ ସେନାବାହିନୀର ସଦସ୍ୟ ବୋଲି ପରିଚୟ ଦେଇ ସେମାନେ ଲଖନପୁର ଟୋଲ୍‌ ପୋଷ୍ଟ୍‌ ନିକଟରେ ଟିକସ ମଧ୍ୟ ଦେଇନଥିଲେ। ତେବେ ପଂଜାବ ପୁଲିସ ବଡ଼ ଧରଣର ତଲାସି ଅଭିଯାନ ଆରମ୍ଭ କରିବାପରେ ସେମାନେ ଆଜି ଦିଲ୍ଲୀ ମୁହାଁ ହୋଇଥିବା ଜଣାପଡ଼ିଥିଲା। ଦକ୍ଷିଣ କଶ୍ମୀରର ଜଣେ ଜୈଶ୍‌ କମାଣ୍ଡରର ନେତୃତ୍ବରେ ଏହି ଆତଙ୍କବାଦୀମାନେ ଭାରତରେ ପଶିଥିଲେ ଏବଂ ସେଠାରୁ ସେମାନେ ପଂଜାବ ଆସିଥିଲେ। ଏହି ଆତଙ୍କବାଦୀମାନେ ଦିଲ୍ଲୀ କିମ୍ବା ପଂଜାବରୁ ସେମାନଙ୍କର କୌଣସି ସହଯୋଗୀ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ହାସଲ କରିବା ପରେ ବଡ଼ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ସୂଚନାଯୋଗ୍ୟ, ଜୈଶ୍‌ ଆତଙ୍କବାଦୀମାନେ ୨୦୧୬ରେ ପଠାନକୋଟ ବାୟୁସେନା ଘାଟିରେ ବଡ଼ ଧରଣର ଆକ୍ରମଣ କରିଥିଲେ ଏବଂ ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର