ଆନ୍ଧ୍ର ରାଜନୀତି ସରଗରମ : ଚନ୍ଦ୍ରବାବୁ, ପୁଅ ଗୃହବନ୍ଦୀ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ତେଲୁଗୁ ଦେଶମ ପାର୍ଟି କର୍ମୀଙ୍କ ଉପରେ ୱାଇଏସ୍‌ଆର୍‌ କଂଗ୍ରେସ କର୍ମୀଙ୍କ ଆକ୍ରମଣକୁ ନେଇ ଅଭାବନୀୟ ସ୍ଥିତି ଉପୁଜିଛି। ୱାଇଏସ୍‌ଆର୍‌ସିପିର ‘ଗୁଣ୍ଡାରାଜ’ପ୍ରତିବାଦରେ ଆଜି ଟିଡିପି ଏକ ବିଶାଳ ବିକ୍ଷୋଭ କାର୍ଯ୍ୟକ୍ରମ ‘ଚଲୋ ଆଟମାକୁରୁ’ ଡାକରା ଦେଇଥିଲା। କିନ୍ତୁ ଏହାକୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଦର୍ଶାଇ ପୁଲିସ ଟିଡିପି ସୁପ୍ରିମୋ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ତାଙ୍କ ପୁଅ ନର ଲୋକେଶଙ୍କୁ ଗୃହବନ୍ଦୀ କରି ରଖିଛି। ଏହାର ପ୍ରତିବାଦରେ ହଜାର ହଜାର ଟିଡିପି କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚନ୍ଦ୍ରବାବୁ କହିଛନ୍ତି ଯେ ୱାଇଏସ୍‌ଆର୍‌ସିପି କର୍ମୀଙ୍କ ହିଂସା ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଦମନ କରିବା ପାଇଁ ପୁଲିସ ଅପଚେଷ୍ଟା କରୁଛି। ସରକାରଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ବିପଜ୍ଜନକ ଏବଂ ଗଣତନ୍ତ୍ର ପାଇଁ ଏକ କଳାଦିନ ବୋଲି ନାଇଡ଼ୁ କହିଛନ୍ତି। ନାଇଡ଼ୁଙ୍କ ବାସଭବନ ସମ୍ମୁଖରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ଆନ୍ଧ୍ର ପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଗୌତମ ସଂଭାଗ କହିଛନ୍ତି, ଚନ୍ଦ୍ରବାବୁ ନାଇଡ଼ୁଙ୍କ କେତେକ ପଦକ୍ଷେପ ଯୋଗୁଁ ଗୁଣ୍ଟୁର ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରୁ ସତର୍କତା ପଦକ୍ଷେପ ସ୍ବରୂପ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି।

ନାଇଡ଼ୁ ଆଜି ଅଭିଯୋଗ କରିଛନ୍ତି ଯେ ୱାଇଏସ୍‌ଆର୍‌ସିପି କଂଗ୍ରେସ ଏବଂ ପୁଲିସ ଅନୁସୂଚିତ ଜାତିର ୧୨୦ ପରିବାରକୁ ସେମାନଙ୍କ ଗ୍ରାମରୁ ବାହାର କରିଦେଇଛନ୍ତି ଏବଂ ଏହି ପରିବାରମାନେ ଏବେ ଟିଡିପିର କ୍ୟାମ୍ପ୍‌ରେ ଆଶ୍ରୟ ନେଇଛନ୍ତି। ଏହି ପରିବାରକୁ ସେମାନଙ୍କ ଭିଟାମାଟିକୁ ଫେରାଇ ନେବା ଦିଗରେ ସଂଗ୍ରାମ ଜାରି ରହିବ ବୋଲି ନାଇଡ଼ୁ କହିଛନ୍ତି।

ସମ୍ବନ୍ଧିତ ଖବର