ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ମଂଗଳବାର ସକାଳ ୯ଟା ୨ ମିନିଟ୍‌ରେ ଚନ୍ଦ୍ରମାର କକ୍ଷରେ ପ୍ରବେଶ କରିଛି। ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେବା ପାଇଁ ଏହାକୁ ପ୍ରାୟ ୩୦ ମିନିଟ୍‌ ସମୟ ଲାଗିଥିଲା। ୨୩ ଦିନ ପୃଥିବୀର କକ୍ଷପଥରେ ଘୂରି ବୁଲିବା ପରେ ଚନ୍ଦ୍ରଯାନ ୨ ଚନ୍ଦ୍ରର କକ୍ଷରେ ପହଞ୍ଚିବା ପାଇଁ ୬ ଦିନ ସମୟ ନେଇଛି। ଚନ୍ଦ୍ର ପୃଷ୍ଠରେ ପୂର୍ବରୁ ନିର୍ଦ୍ଧାରିତ ଦକ୍ଷିଣ ପାର୍ଶ୍ବରେ ଚନ୍ଦ୍ରଯାନ ୨ର ସୂକ୍ଷ୍ମ ଅବତରଣ ହେବ। ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ କେ. ଶିବନ କହିଛନ୍ତି ଯେ ଚନ୍ଦ୍ରଯାନ-୨ର ସବୁଠାରୁ ଜଟିଳ ପର୍ଯ୍ୟାୟ ଏବେ ସଂପୂର୍ଣ୍ଣ ହୋଇଛି ଏବଂ ଏହା ସଂପୂର୍ଣ୍ଣ ସଫଳତାର ସହ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ ହୋଇଛି। ୨ ସେପ୍‌ଟେମ୍ବରରେ ଲ୍ୟାଣ୍ଡର୍‌ ଅର୍ବିଟରଠାରୁ ଅଲଗା ହୋଇଯିବ ଏବଂ ୩ ସେପ୍‌ଟେମ୍ବରରେ ଚନ୍ଦ୍ରଯାନ ୩ ସେକେଣ୍ଡ ପାଇଁ ସ୍ଥାନ ବଦଳାଇବ। ଏଥିରୁ ଲ୍ୟାଣ୍ଡର୍‌ ସିଷ୍ଟମ ସଠିକ୍ ଢଙ୍ଗରେ କାମ କରୁଥିବା ସଂପର୍କରେ ଜଣାପଡ଼ିବ। ୭ ସେପ୍‌ଟେମ୍ବର ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହାପରେ ରୋଭର୍‌ ଚନ୍ଦ୍ରର ଗଠନ ଏବଂ ଅନ୍ୟ ଖଣିଜ ପଦାର୍ଥର ସ୍ଥିତି ନେଇ ତଥ୍ୟ ସଂଗ୍ରହ କରିବ।

ସମ୍ବନ୍ଧିତ ଖବର