ପାକ୍‌-ସୀମାକୁ ପ୍ରବେଶ କରିବା ମହଙ୍ଗା ପଡ଼ିଲା: ତିନି ମାସ ଜେଲରେ ରହିବେ ଭାରତୀୟ ସିପାହୀ

ନୂଆଦିଲ୍ଲୀ: ଗତବର୍ଷ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରଗୁଡ଼ିକ ଉପରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିବାର କିଛି ସମୟ ପରେ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କରିଥିଲେ ଭାରତୀୟ ଯବାନ ଚନ୍ଦୁ ବାବୁଲାଲ ଚଉନ୍‌ । ଏହାପରେ ବାବୁଲାଲଙ୍କୁ ପାକିସ୍ତାନୀ ସେନା ଗିରଫ କରି ନେଇଥିଲା। ଗତ ଜାନୁଆରି ମାସରେ ବାବୁଲାଲଙ୍କୁ ପାକିସ୍ତାନୀ ସେନା ଭାରତକୁ ହସ୍ତାନ୍ତର କରିଥିଲା। ଏହାପରେ ତାଙ୍କର ବିଚାର ଏକ ଆର୍ମି କୋଟିରେ କରାଯାଇଥିଲା। ଏହି କୋର୍ଟ ମାମଲାର ବିଚାର କରି ୩ମାସ ଲାଗି କାରାଦଣ୍ଡ ସୁପାରିଶ କରିଛନ୍ତି।

ସେନାର ଆଧିକାରୀକ ସୂତ୍ର ଅନୁସାରେ ଯଦିଓ ଚନ୍ଦୁ ବାବୁଲାଲ୍‌ଙ୍କୁ ୩ମାସ କାରାଦଣ୍ଡରେ ଆର୍ମି କୋର୍ଟ ଦଣ୍ଡିତ କରିଛନ୍ତି, କିନ୍ତୁ ତାଙ୍କର ଦଣ୍ଡର ଅବଧି କେତେ ରହିବ ତାହା ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱୀକୃତି ହୋଇନାହିଁ। ସିପାହୀ ବାବୁଲାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କର କୋର୍ଟ ମାର୍ଶାଲ କରାଯାଇଥିବା ଜଣାପଡ଼ିଛି। ତେବେ ଏହି ରାୟ ବିରୋଧରେ ସେ ଉପର ଅଦାଲତରେ ଆପିଲ କରିପାରିବେ।

୩୭ ରାଷ୍ଟ୍ରୀୟ ରାଇଫଲସ୍‌ର ଅଧିନରେ କାର୍ଯ୍ୟ କରୁଥିବା ବାବୁଲାଲ ଭୁଲକ୍ରମେ ସର୍ଜିକାଲ ଷ୍ଟ୍ରାଇକ ହେବାର କିଛି ଘଣ୍ଟା ପରେ ଏଲ୍‌ଓସି ଅତିକ୍ରମ କରି ପାକିସ୍ତାନ ଭିତରକୁ ପଶିଯାଇଥିଲେ ଗତବର୍ଷ ସେପ୍‌ଟେମ୍ବରରେ।

ଉଲ୍ଲେଖନୀୟ କଥା ହେଲା, ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ବୋର ବିହିର୍‌ ଗ୍ରାମର ବାସିନ୍ଦା ବାବୁଲାଲ୍‌ ଏହି ଘଟଣା ପାଇଁ ଆଉ ଏକ କ୍ଷତି ମଧ୍ୟ ସହିଛନ୍ତି। ଯେଉଁଦିନ ଖବର ପ୍ରକାଶ ପାଇଲା କି ପାକିସ୍ତାନ ସୀମା ଭିତରେ ପଶି ସେ ପାକ୍‌ସେନା ହାତରେ ଧରାପଡ଼ିଛନ୍ତି, ସେହିଦିନ ତାଙ୍କର ଜେଜେମା ଦୁଃଖରେ ମ୍ରିୟମାଣ ହୋଇ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର