ଜଷ୍ଟିସ୍ ଗୋଗଇ, ଜରୁରୀ ଶୁଣାଣିରେ ଆଣିଲେ ପରିବର୍ତ୍ତନ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରଞ୍ଜନ ଗୋଗଇ ବୁଧବାର ଶପଥ ନେଇଛନ୍ତି। ପ୍ରଥମ ଦିନରୁ ହିଁ ମାମଲାଗୁଡ଼ିକର ପରିଚାଳନା ବାବଦରେ ସେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ବିଶେଷକରି ସୁପ୍ରିମ୍ କୋର୍ଟର ଜରୁରୀ ଶୁଣାଣି ପରମ୍ପରାରେ ସେ ବଡ଼ଧରଣର ପରିବର୍ତ୍ତନ ଆଣିଛନ୍ତି। ସେ କହିଛନ୍ତ, ଯଦି କିଏ ମରୁଛି, ଯଦି କାହାକୁ ଘରୁ ବାହାର କରିଦିଆଯାଉଛି, ତା’ହେଲେ ଏଭଳି ମାମଲାର ତ୍ବରିତ୍ ଭିତ୍ତିରେ ଶୁଣାଣି କରାଯିବ। ଏହି ମାମଲାଗୁଡ଼ିକ ଥିଲେ ଅନ୍ୟ ମାମଲାଗୁଡ଼ିକର ଶୁଣାଣି ପାଇଁ ଉଲ୍ଲେଖ କରାଯାଇ ପାରିବ ନାହିଁ। ଜଷ୍ଟିସ୍ ଗୋଗଇ କହିଛନ୍ତି, ମାମଲାଗୁଡ଼ିକର ତ୍ବରିତ୍ ଉଲ୍ଲେଖ ଓ ଶୁଣାଣି ନିମନ୍ତେ ମାନଦଣ୍ଡ ପ୍ରସ୍ତୁତ କରାଯିବ। ସେ କହିଛନ୍ତି, ଯଦି ଜଣେ ବ୍ୟକ୍ତି ମରିବାକୁ ଯାଉଛି, ବା ଫାଶିଖୁଣ୍ଟରେ ଝୁଲିବାକୁ ଯାଉଛି ଅଥବା ଘରୁ ବିଦା ହେବାକୁ ଯାଉଛି, ଏଭଳି ମାମଲାରେ ଅନ୍ୟ କୌଣସି ମାମଲାଗୁଡ଼ିକୁ ଗୁରୁତ୍ବ ଦିଆଯାଇ ପାରିବ ନାହିଁ। ତ୍ବରିତ୍ ଭିତ୍ତିରେ ଏବଂ କାଳବିଳମ୍ବ ନକରି ଏଗୁଡ଼ିକର ଶୁଣାଣି କରାଯାଇ ଫଏସଲା ହେବ। ରାଷ୍ଟ୍ରପତି ଭବନର ଦର୍‌ବାର ହଲ୍‌ରେ ଶପଥ ନେବାର ମାତ୍ର କେଇ ମିନିଟ୍‌ ପରେ ଜଷ୍ଟିସ୍ ଗୋଗଇ ଏଭଳି କହିଛନ୍ତି। ସୁପ୍ରିମ୍‌ କୋର୍ଟରେ ପ୍ରତିଦିନ ଶୁଣାଣି ଆରମ୍ଭ ହେବା ପୂର୍ବରୁ ୨୦ ମିନିଟ୍ ସଂରକ୍ଷିତ ରଖାଯାଇଥାଏ। ଏହି ୨୦ ମିନିଟ୍‌ରେ ଜରୁରୀ ମାମଲାଗୁଡ଼ିକର ତ୍ବରିତ୍ ଭିତ୍ତିରେ ଶୁଣାଣି ହୋଇଥାଏ। ଏହା ପରମ୍ପରା ଭାବେ ରହିଆସିଛି। ଜଷ୍ଟିସ୍ ଗୋଗଇ କହିଛନ୍ତି, ଯେ ପର୍ଯ୍ୟନ୍ତ ମାନଦଣ୍ଡ ପ୍ରସ୍ତୁତ କରାନଯାଇଛି ସେ ଯାଏ ଜରୁରୀ ଶୁଣାଣି ପାଇଁ ମାମଲାଗୁଡ଼ିକର ଉଲ୍ଲେଖ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର