ପ୍ୟାନ କାର୍ଡ ଆବେଦନ ନିୟମରେ ସଂଶୋଧନ, କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ପିତାଙ୍କ ନାଁ ଲେଖିବା ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ପ୍ୟାନ କାର୍ଡରେ କେତେକ ପରିବର୍ତ୍ତନ ଅଣାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର ମାତା ଜଣେ ଏକକ ମାତା, ସେ କ୍ଷେତ୍ରରେ ପ୍ୟାନକାର୍ଡରେ ପିତାଙ୍କ ନାମ ଲେଖିବା ବାଧ୍ୟତାମୂଳକ ହେବ ନାହିଁ । ଆଜି ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଘୋଷଣା କରାଯାଇଛି । ଏଥିଲାଗି ସିବିଡିଟି ପକ୍ଷରୁ ଆୟକର ଆଇନରେ କେତେକ ସଂଶୋଧନ କରାଯାଇଛି । ଏହି ସଂଶୋଧନ ପରେ ଏଣିକି ପ୍ୟାନ କାର୍ଡ ଫର୍ମରେ କେତେକ ପରିବର୍ତ୍ତନ ଅଣାଯିବ । ପିତାଙ୍କ ନାମ ଥିବା ସ୍ଥାନ ନିକଟରେ ମାତାଙ୍କ ନାମ ପାଇଁ ବି ବିକଳ୍ପ ରହିବ ଓ ପ୍ରାର୍ଥୀ କେବଳ ମାତାଙ୍କ ନାମ ଲେଖିବା ପାଇଁ ଇଚ୍ଛୁକ କି ବୋଲି ବିକଳ୍ପ ଦିଆଯିବ । ଏବେ ଥିବା ବ୍ୟବସ୍ଥା ଅନୁସାରେ ପ୍ୟାନ କାର୍ଡ ଆବେଦନ ଫର୍ମରେ ପିତାଙ୍କ ନାମ ଲେଖିବା ବାଧ୍ୟତାମୂଳକ ରହିଛି । ଏହି ନୂଆ ନିୟମ ଆସନ୍ତା ଡିସେମ୍ବର ୫ ତାରିଖରୁ ଲାଗୁ ହେବ । ଏହା ଦ୍ୱାରା ଏକକ ମାତା ଥିବା ପ୍ରାର୍ଥୀମାନେ ଉପକୃତ ହୋଇପାରିବେ ।

ସମ୍ବନ୍ଧିତ ଖବର