ବଦଳିଲା ଉଦ୍ଧବଙ୍କ ମତ, ଭୀମା କୋରେଗାଓଁ ମାମଲା ଏନ୍‌ଆଇଏକୁ ହସ୍ତାନ୍ତର ହେବନି

ନୂଆଦିଲ୍ଲୀ : ଏଲଗାର ପରିଷଦ ମାମଲାରେ ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର ହେବା ନେଇ ମହାରାଷ୍ଟ୍ର ସରକାରରେ କନ୍ଦ‌ଳ ବଢ଼ିଥିଲା ଏବଂ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଆଜି ଏହି ମାମଲାରେ ଉଦ୍ଧବ ତାଙ୍କର ମତ ବଦଳାଇଛନ୍ତି। ଉଦ୍ଧବ କହିଛନ୍ତି, ଭୀମା କୋରେଗାଓଁ ମାମଲା ଏବଂ ଏଲଗାର ପରିଷଦ ଦୁଇଟି ପୃଥକ୍‌ ମାମଲା। ଭୀମା କୋରେଗାଓଁ ମାମଲା ଦଳିତମାନଙ୍କ ସହ ଜଡ଼ିତ ଏବଂ ଏହି ମାମଲାର ତଦନ୍ତ ଭାର ସେ ଏନ୍‌ଆଇଏକୁ ହସ୍ତାନ୍ତର କରିନାହାନ୍ତି। ରାଜ୍ୟରେ ଦଳିତମାନଙ୍କ ସହ ସେ ଅନ୍ୟାୟ ହେବାକୁ ଦେବେନାହିଁ ଏବଂ ଏହି ମାମଲାର ତଦନ୍ତଭାର କେନ୍ଦ୍ରକୁ ହସ୍ତାନ୍ତର କରାଯିବ ନାହିଁ ବୋଲି ଉଦ୍ଧବ ସ୍ପଷ୍ଟୀକରଣ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏଲଗାର ପରିଷଦ ମାମଲା ଏନ୍‌ଆଇଏକୁ ହସ୍ତାନ୍ତର ହେବା ସଂକ୍ରାନ୍ତ ଠାକ୍‌ରେଙ୍କ ନିଷ୍ପତ୍ତିକୁ ଉଭୟ ଏନ୍‌ସିପି ଏବଂ କଂଗ୍ରେସ କଡ଼ା ସମାଲୋଚନା କରିଥିଲେ। ଶରଦ ପାୱାର ଗତକାଲି ଏନ୍‌ସିପି ମନ୍ତ୍ରୀମାନଙ୍କୁ ଭେଟିଥି‌ଲେ ଏବଂ ଏହି ମାମଲାର ଏସ୍‌ଆଇଟି ତଦନ୍ତ ହେବ ବୋଲି ଏନ୍‌ସିପି ପକ୍ଷରୁ ଘୋଷଣା କରାଯାଇଥିଲା। ଏନେଇ ଶରଦ ମଧ୍ୟ ଖୋଲାଖୋଲି ଉଦ୍ଧବଙ୍କ ଉପରେ ବର୍ଷିଥିଲେ। ଅନ୍ୟପକ୍ଷେ ଉଦ୍ଧବ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଏନ୍‌ପିଆର (ଜାତୀୟ ଜନସଂଖ୍ୟା ପଂଜିକା)କୁ ଅଟକା ଯିବନାହିଁ। ଠାକ୍‌ରେ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବେ ଏନ୍‌ପିଆରରେ ଥିବା ପ୍ରାବଧାନକୁ ଭଲଭାବେ ଦେଖିବେ ଏବଂ ଏନ୍‌ପିଆର ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେଲେ କିଛି ଅସୁବିଧା ହେବନାହିଁ ବୋଲି ଉଦ୍ଧବ କହିଛନ୍ତି। ସିଏଏ ଏବଂ ଏନ୍‌ଆରସି ପୃଥକ୍‌ ପୃଥକ ବୋଲି ଉଦ୍ଧବ କହିଛନ୍ତି।

ସମ୍ବନ୍ଧିତ ଖବର