ବାପ-ପୁଅଙ୍କୁ ପୁଣି ଚାର୍ଜସିଟ୍‌: ଏୟାରସେଲ୍‌-ମାକ୍ସିସ୍‌ ମାମଲା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ଗୁରୁବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟରେ ଏକ ସାନି ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଓ ତାଙ୍କ ପୁଅ କାର୍ତ୍ତିଙ୍କ ନାମ ରହିଛି। ଚିଦମ୍ବରମ୍‌ କେନ୍ଦ୍ରମନ୍ତ୍ରୀ ଥିଲା ବେଳେ ତାଙ୍କ କ୍ଷମତାର ଦୁରୁପଯୋଗ କରିଛନ୍ତି ବୋଲି ଏଥିରେ ସ୍ପଷ୍ଟ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ପୂର୍ବ ଚାର୍ଜସିଟ୍‌ରେ ଚିଦମ୍ବରମ୍‌ଙ୍କ ନାମ ନ ଥିଲା। ଏଥର ତାଙ୍କ ବିରୋଧରେ ଆଇପିସି ଧାରା ୧୨୦ଖ ଏବଂ ପିସି ଆଇନ ଧାରା ୭, ୧୨୧୩ (୨) ଅନୁସାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ମାମଲାରେ ମୋଟ ୧୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅନ୍ୟପକ୍ଷରେ ଚିଦମ୍ବରମ୍‌ ଏ ନେଇ ଟ୍ଵିଟ୍‌ କରି କହିଛନ୍ତି, ଚାର୍ଜସିଟ୍‌ରେ ମୋ ବିରୋଧରେ ନିରର୍ଥକ ଅଭିଯୋଗ ଅଣାଯାଇଛି। ସିବିଆଇ ଉପରେ ଚାପ ପ୍ରୟୋଗ କରାଯାଇ ଏଭଳି ଚାର୍ଜସିଟ୍‌ ହୋଇଛି। ତେବେ ମାମଲା ବର୍ତ୍ତମାନ କୋର୍ଟଙ୍କ ନିକଟରେ ରହିଛି। କୋର୍ଟରେ ଏ ନେଇ ବିଚାର କରାଯିବ। ଉଲ୍ଲେଖଯୋଗ୍ୟ, ୨୦୦୬ରେ ଚିଦମ୍ବରମ୍‌ ଦେଶର ଅର୍ଥମନ୍ତ୍ରୀ ଥିଲା ବେଳେ ତାଙ୍କ ପୁଅ କାର୍ତ୍ତି ଏୟାରସେଲ୍‌-ମାକ୍ସିସ୍‌ ଚୁକ୍ତି ନିମନ୍ତେ ଏଫ୍‌ଆଇପିବି (ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ) ନିକଟରୁ ମଞ୍ଜୁରି ହାସଲ କରିଥିଲେ। ଅନ୍ୟପକ୍ଷରେ ଏହି ଚୁକ୍ତି ପାଇଁ ଆର୍ଥିକ ବ୍ୟାପାର କ୍ୟାବିନେଟ୍‌ କମିଟିର ମଞ୍ଜୁରି ଆବଶ୍ୟକ ଥିଲା ବେଳେ ଚିଦମ୍ବରମ୍‌ ଏହାକୁ ଏଡ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର