ଚାରିଟେବୁଲ୍‌ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ ୧୪ରୁ; ଏଥର ୩୨ ଦଳ

ଭୁବନେଶ୍ୱର: ଓ୍ଵି ଫର୍‌ ୟୁ ଆନୁକୂଲ୍ୟରେ ଚାରିଟେବୁଲ କର୍ପୋରେଟ୍‌ କ୍ରିକେଟ୍‌ ଲିଗ୍‌ର ଅଷ୍ଟମ ସଂସ୍କରଣ ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ୟୁନିଟ୍‌-୧ କିଶୋର କ୍ଲବ୍‌ ପଡ଼ିଆରେ ଆୟୋଜିତ ଏହି ପ୍ରତିଯୋଗିତାରେ ଏଥର ୩୨ ଦଳ ଭାଗ ନେବେ। ଟେନିସ୍‌ ବଲ୍‌ରେ ସମସ୍ତ ମ୍ୟାଚ୍‌ ଦିବାରାତ୍ର ଖେଳାଯିବ। ଅଂଶଗ୍ରହଣ କରିଥିବା ୩୨ ଦଳକୁ ୮ ଗ୍ରୁପ୍‌ରେ ଭାଗ କରାଯାଇଛି। ସମସ୍ତ ଖେଳାଳିଙ୍କ ଗଣପୋଷାକ ଓ ଆଇଡି କାର୍ଡ ତନଖି କରାଯିବ। ବାହାରର କୌଣସି ଖେଳାଳିଙ୍କୁ ପ୍ରତିଯୋଗିତାରେ ଖେଳିବାକୁ ଅନୁମତି ଦିଆଯିବନି। ଏପରିକି ଆବଶ୍ୟକତା ସମୟରେ ଖେଳାଳିମାନେ ଚାକିରି ପ୍ରମାଣପତ୍ର ଆୟୋଜକଙ୍କୁ ଦେଖାଇବାକୁ ବାଧ୍ୟ ବୋଲି ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚାଇ ଦିଆଯାଇଛି। ପ୍ରତିଯୋଗିତା ଶେଷରେ ୩୨ ଦଳର ଅଧିନାୟକଙ୍କ ହସ୍ତାକ୍ଷର ସମ୍ବଳିତ ଏକ ବ୍ୟାଟ୍‌ ନିଲାମ କରାଯିବ। ଏଥିରୁ ମିଳିଥିବା ଧନରାଶିକୁ ଦୃଷ୍ଟିହୀନଙ୍କ ସହାୟତା (ଅଡିଓ ବହି) କାମରେ ଲଗାଯିବ। ସାମ୍ବାଦିକ ସମ୍ମଳନୀ ଅବସରରେ ‘ଓ୍ଵି ଫର ୟୁ’ ପ୍ରବନ୍ଧକ କୃଷ୍ଣ ତ୍ରିପାଠୀ, ଚନ୍ଦ୍ରମୋହନ ବରାଳ, ନିହାର ରଞନ ଦାସ ଓ ଭବାନୀ ଶଙ୍କର ପରିଡ଼ାଙ୍କ ସମେତ ୩୨ ଦଳର ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର