ଛତିଶଗଡ଼ରେ ପ୍ରଚାର ଶେଷ

ନକ୍ସଲବାଦରେ କ୍ରାନ୍ତି ଦେଖୁଛି କଂଗ୍ରେସ: ଶାହ, ବିମୁଦ୍ରୀକରଣକୁ ଭୁଲିଗ‌ଲେଣି ମୋଦୀ: ରାହୁଲ

ରାୟପୁର: ଆଉ ଦିନକ ପରେ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଚାର ଶେଷ ହୋଇଛି। ଶାସକ ବି‌ଜେପି ଓ ବିରୋଧୀ କଂଗ୍ରେସ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରୢାଲି କରି ପରସ୍ପରର ଦୋଷତ୍ରୁଟିକୁ ଭୋଟର୍‌ଙ୍କ ସାମ୍ନାରେ ରଖିବାରେ କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଗୋଟିଏ ପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କଂଗ୍ରେସକୁ ନକ୍ସଲବାଦର ସମର୍ଥକ କହି ସମାଲୋଚନା କରିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୋଦୀ ଏବେ ବିମୁଦ୍ରୀକରଣ ଓ ଜିଏସ୍‌ଟିକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିବା ସେ କହିଛନ୍ତି। ରାୟପୁରରେ ଜନସମାବେଶକୁ ସମ୍ବୋଧନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହ କହିଛନ୍ତି, ନକ୍ସଲବାଦରେ କ୍ରାନ୍ତି ଦେଖୁଥିବା କଂଗ୍ରେସକୁ ଲୋକମାନେ ଆଦୌ ଭରସା କରିବା ଉଚିତ ନୁହେଁ। ନକ୍ସଲବାଦକୁ ସମର୍ଥନ କରୁଥିବା ଦଳ ଛତିଶଗଡ଼ର ବିକାଶ କରିପାରିବ ନାହିଁ। ଛତିଶଗଡ଼ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ଜାରି କରି ଶାହ କହିଛନ୍ତି, ଗତ ୧୫ ବର୍ଷ ମଧ୍ୟରେ ବିଜେପି ସରକାର ଦ୍ବାରା ଏଠାରେ ଦ୍ରୁତ ବିକାଶ ଦେଖିବାକୁ ମିଳିଛି। ଦିନରାତି କାର୍ଯ୍ୟ କରି ରାଜ୍ୟରୁ ନକ୍ସଲବାଦ ଅନ୍ତ ଘଟାଇଛି। ପ୍ରଥମ ରାଜ୍ୟ ଭାବେ ଛତିଶଗଡ଼ରେ ଦକ୍ଷତା ବିକାଶ ଉପରେ ଆଇନ ଆସିଛି। ପଛୁଆ ରାଜ୍ୟ ଭାବେ ପରିଗଣିତ ହୋଇଆସୁଥିବା ଛତିଶଗଡ଼ ଏବେ ଶକ୍ତି ଓ ସିମେଣ୍ଟ ପେଣ୍ଠସ୍ଥଳୀରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ନକ୍ସଲବାଦର ମୂଳୋତ୍ପାଟନ ଦିଗରେ ରମଣ ସିଂହ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶାହ କହିଛନ୍ତି। ଛତିଶଗଡ଼ର କାଙ୍କେରଠାରେ ନିଜ ନିର୍ବାଚନୀ ଭାଷଣରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦିନ ଥିଲା ମୋଦୀ କେବଳ ବିମୁଦ୍ରୀକରଣ ଓ ଜିଏସ୍‌ଟି ସମ୍ପର୍କରେ କହି କହି ଥକୁନଥିଲେ। କିନ୍ତୁ ଏବେ ସେ ଏହାକୁ ସମ୍ପୂର୍ଣ୍ଣ ପାସୋରିଗଲେଣି। ସେ ଆହୁରି କହିଛନ୍ତି ଯେ ମୋଦୀ ସରକାର ୧୫ ଜଣ ବିଶିଷ୍ଟ ଶିଳ୍ପପତିଙ୍କ ୩.୫ ଲକ୍ଷ କୋଟି ଟଙ୍କାର ଋଣକୁ ଛାଡ଼ କରିଦେଇଛନ୍ତି। ଶିଳ୍ପପତି ଅନୀଲ ଅମ୍ବାନିଙ୍କର ଏହାଦ୍ବାରା ୩୦,୦୦୦ କୋଟି ଟଙ୍କା ଫାଇଦା ହୋଇଛି। ଭାରତର କୋଷାଗାର ଚାବିକୁ କଂଗ୍ରେସ ପଛୁଆ, ଅବହେଳିତ, ଦଳିତ ଓ ମହିଳାମାନଙ୍କୁ ଦେବା ପାଇଁ ଚାହୁଥିବା ବେଳେ ମୋଦୀ କିନ୍ତୁ ଏହି ଚାବିକୁ ଉଦ୍ୟୋଗପତିମାନଙ୍କ ହାତରେ ଟେକିଦେଇଛନ୍ତି ବୋଲି ରାହୁଲ କହିଛନ୍ତି। ବିଜେପି ଛତିଶଗଡ଼ ପାଇଁ ଜାରି କରିଥିବା ସଂକଳ୍ପ ପତ୍ରରେ ଅନେକ ଆକର୍ଷଣୀୟ ଘୋଷଣା କରିଛି। ରାଜ୍ୟରେ ପୁଣି ବିଜେପି ସରକାର ଆସିଲେ ପ୍ରଥମେ ‘ନୂଆ ଛତିଶଗଡ଼’ର ପୁନର୍ନିମାଣ ହେବ। ମହିଳାମାନଙ୍କୁ ମାଗଣାରେ ସ୍କୁଟର୍‌ ଯୋଗାଇ ଦିଆଯିବ। ଚାଷୀମାନଙ୍କୁ ୮୦ ଲକ୍ଷ କୁଇଣ୍ଟାଲ୍‌ ଧାନ ଓ ୨୦୨୨ ସୁଦ୍ଧା ସମସ୍ତଙ୍କୁ ସ୍ଥାୟୀ ବାସଗୃହ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର