ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର!

ଏବିପି-ସି ଭୋଟର୍‌ ଜନମତ ସର୍ଭେ

ନୂଆଦିଲ୍ଲୀ: ନିର୍ବାଚନ କମିସନ ଗତକାଲି ୫ଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲେଙ୍ଗନାରେ ନିର୍ବାଚନ ତାରିଖ ଘୋଷଣା କରିବା ପରେ ଏସବୁ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ହୋଇଉଠିଛି। ଏବିପି ନ୍ୟୁଜ୍‌ ଏବଂ ସି ଭୋଟର୍‌ ଜନମତ ସର୍ଭେ ମୁତାବକ ୩ଟି ରାଜ୍ୟରେ ବିଜେପିକୁ ବଡ଼ ଝଟ୍‌କା ମିଳିବା ସମ୍ଭାବନା ରହିଛି। ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପିକୁ କ୍ଷମତାରୁ ହଟାଇବାରେ କଂଗ୍ରେସ ସଫଳ ହୋଇପାରେ ବୋଲି କୁହାଯାଇଛି। ସର୍ବଶେଷ ସର୍ଭେ ମୁତାବକ ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେବ ଏବଂ ରାଜସ୍ଥାନରେ କଂଗ୍ରେସ ବଡ଼ ବିଜୟ ହାସଲ କରିବ ବୋଲି ଅନୁମାନ କରାଯାଇଛି।

ସର୍ଭେ ମୁତାବକ ମଧ୍ୟପ୍ରଦେଶରେ ଏଥର କଂଗ୍ରେସ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିପାରେ। ଦୀର୍ଘ ୧୫ ବର୍ଷ ଧରି କ୍ଷମତାରୁ ବାହାରେ ଥିବା କଂଗ୍ରେସ ଏଥର କ୍ଷମତାକୁ ଫେରିବା ସମ୍ଭାବନା ଅଧିକ ଥିବା କୁହାଯାଇଛି। ସେହିଭଳି ରାଜସ୍ଥାନରେ ବିଜେପିର ବସୁନ୍ଧରା ରାଜେଙ୍କ ସରକାରର ଶୋଚନୀୟ ପରାଜୟ ଘଟିବା ସମ୍ଭାବନା ରହିଛି । ଏହି ସର୍ଭେ ୧ରୁ ୩୦ ସେପ୍‌୍‌ଟେମ୍ବର ମଧ୍ୟରେ ସମସ୍ତ ବିଧାନସଭା ଆସନରେ କରାଯାଇଥିଲା। ଛତିଶଗଡ଼ରେ ୯୯୦୬, ରାଜସ୍ଥାନରେ ୭୭୯୭ ଏବଂ ମଧ୍ୟ ପ୍ରଦେଶରେ ୮୪୯୩ ଲୋକଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । କାହା ସହ ମେଣ୍ଟ ନ କରି ମଧ୍ୟ କଂଗ୍ରେସ ଏହି ସଫଳତା ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନରୁ କଂଗ୍ରେସ ୧୨୨ ଏବଂ ବିଜେପି ୧୦୮ ଆସନ ପାଇବ ବୋଲି ସର୍ଭେରେ କୁହାଯାଇଥିବା ବେଳେ ଛତିଶଗଡ଼ର ୯୦ ଆସନରୁ କଂଗ୍ରେସ ୪୭, ବିଜେପି ୪୦ ଆସନ ପାଇବ ବୋଲି ଅନୁମାନ କରାଯାଇଛି। ସେହିଭଳି ରାଜସ୍ଥାନରେ ମୋଟ ୨୦୦ ଆସନରୁ କଂଗ୍ରେସକୁ ୧୪୨ ଏବଂ ବିଜେପିକୁ ୫୬ଟି ଆସନ ମଳିବ ବୋଲି ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର