ଯାନ୍ତ୍ରିକ ତ୍ରୁଟି ପାଇଁ ଜାତୀୟ ରାଜପଥରେ ଜରୁରୀକାଳୀନ ଅବତରଣ କଲା ବିମାନ

ଗାଜିଆବାଦ: ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି, କିନ୍ତୁ ପାଖରେ ନଥିଲା ବିମାନବନ୍ଦର | ଅନ୍ୟ ଉପାୟ ନ ପାଇଁ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଜାତୀୟ ରାଜପଥ ଉପରେ ବିମାନ ଅବତରଣ କରାଇଲେ ପାଇଲଟ | ଉତ୍ତରପ୍ରଦେଶର ଗାଜିଆବାଦରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି | ଗାଜିଆବାଦର ଇଷ୍ଟର୍ଣ୍ଣ ପେରିଫେରିଆଲ ଏକ୍ସପ୍ରେସ ୱେରେ ଆଜି ଅପରାହ୍ନରେ ଏକ ଚାଟାର୍ଡ ବିମାନ ଜରୁରୀ ଅବତରଣ କରିଛି |

ମିଳିଥିବା ସୂଚନା ମୁତାବକ ଗାଜିଆବାଦ ଆକାଶରେ ଚାଟାର୍ଡ ବିମାନ ଯାଉଥିବାବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବାର ପାଇଲଟ ଜାଣିପାରିଥିଲେ | କିନ୍ତୁ ପାଖରେ କୌଣସି ବିମାନବନ୍ଦର ନଥିବାରୁ ପାଇଲଟ ଜଣକ ଗାଜିଆବାଦର ସଦରପୁର ଗାଁ ନିକଟ ଏକ୍ସପ୍ରେସ ୱେରେ ବିମାନ ଅବତରଣ କରିଥିଲେ |


ଏଥିରେ ପାଇଲଟଙ୍କର କୌଣସି କ୍ଷତି ହୋଇନଥିବାବେଳେ ସ୍ଥାନୀୟ ପୁଲିସ ପହଂଚି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା | ଲ୍ୟାଣ୍ଡିଙ୍ଗ ସମୟରେ ବିମାନର ବାମ ପଟ ଡେଣା କ୍ଷତିଗ୍ରସ୍ତ ହୋଇଛି | ଜାତୀୟ ରାଜପଥର ବ୍ୟାରିକେଡ଼ରେ ମାଡ ହୋଇ ଏହା ଭାଙ୍ଗିଯାଇଛି | ସେହିପରି ଆଗ ଚକ ମଧ୍ୟ ଭାଙ୍ଗିଯାଇଛି | ତେବେ ବିମାନରେ କେତେଜଣ ଯାତ୍ରା କରୁଥିଲେ ସେ ବାବଦରେ କିଛି ତଥ୍ୟ ମିଳିପାରିନାହିଁ | ବିମାନ ଅବତରଣ ଫଳରେ ରାଜପଥରେ ଅସମ୍ଭବ ଜାମ ଲାଗିଯାଇଥିଲା | ଯାହାଫଳରେ ବହୁ ସଂଖ୍ୟାରେ ଗାଡି ଏବେ ବି ଅଟକି ରହିଛି |

ସମ୍ବନ୍ଧିତ ଖବର