ଛତିଶଗଡ଼ ବିଧାନସଭା ନିର୍ବାଚନ : ଭୟ ସତ୍ତ୍ବେ ୭୦% ମତଦାନ

ବନ୍ଧୁକର ଜବାବ ଭୋଟ୍‌ରେ:ଖୁଜିରେ ସର୍ବାଧିକ ୭୨% O ଦାନ୍ତେୱାଡ଼ାରେ ମାତ୍ର ୪୯% O ୨୦ରେ ଦ୍ବିତୀୟ ପର୍ଯ୍ୟାୟ

ରାୟପୁର: ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଛି। ନକ୍ସଲ ଆକ୍ରମଣ ଭୟ ସତ୍ତ୍ବେ ରାଜ୍ୟର ୮ଟି ଜିଲ୍ଲାରେ ୧୮ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ୭୦%ରୁ ଅଧିକ ମତଦାନ ହୋଇଛି। ୨୦୧୩ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୫.୫୩% ମତଦାନ ହୋଇଥିଲା। ଆସନ୍ତା ୨୦ରେ ବଳକା ୭୨ ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଗତଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୭୪.୭% ମତଦାନ ହୋଇଥିଲା। ଆଜି ୮ଟି ଜିଲ୍ଲାରେ ଭୋଟ୍‌ ଗ୍ରହଣ କରାଯାଇଥିଲା ବେଳେ ତନ୍ମଧ୍ୟରୁ ୭ଟି ଜିଲ୍ଲା ନକ୍ସଲ ଉପଦ୍ରୁତ ଅଞ୍ଚଳରେ ଥିବାରୁ ୧ ଲକ୍ଷ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା। ମହିଳା ଭୋଟର୍‌ଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆଜି ବିଜାପୁର ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବିଜା‌ପୁର ଜିଲ୍ଲାରେ ଆଜି ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ୪-୫ ଜଣ ନକ୍ସଲ ନିପାତ ହୋଇଥିବା ବେଳେ ୨ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ଅଧିକାରୀ ଉମେଶ ସିହ୍ନାଙ୍କ କହିବାନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦%ରୁ ଅଧିକ ମତଦାନ ହୋଇଛି। ତେବେ ଖୁଜିରେ ସର୍ବାଧିକ ୭୨% ମତଦାନ ହୋଇଥିବା ବେଳେ ଦାନ୍ତେୱାଡ଼ାରେ ସର୍ବନିମ୍ନ ୪୯% ମତଦାନ ହୋଇଛି। କୋଣ୍ଡାଗାଓଁରେ ୬୧.୪୭%, କେସ୍‌କାଲ୍‌ରେ ୬୩.୫୧%, ବସ୍ତରରେ ୫୮%, ଖଇରାଗଡ଼ରେ ୭୦.୧୪% ଏବଂ ଡୋଙ୍ଗରଗଡ଼ ଓ ଡୋଙ୍ଗରଗାଓଁରେ ୭୧% ଲେଖାଏଁ ମତଦାନ ହୋଇଛି।

ସମ୍ବନ୍ଧିତ ଖବର