ନୂଆଦିଲ୍ଲୀ: ୨୦୧୮ ବିଧାନସଭା ନିର୍ବାଚନରେ ୩ ହିନ୍ଦୀ ବହୁଳ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ବିଜେପିଠାରୁ ଶାସନ ଭାର ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ଏହି ୩ଟି ଯାକ ହିନ୍ଦୀ ବହୁଳ ରାଜ୍ୟରେ କଂଗ୍ରେସ ପରାଜୟ ବରଣ କରିଥିବାବେଳେ ବିଜେପି ଏହାର ପୂର୍ବ ରେକର୍ଡ ବଜାୟ ରଖିଛି। ଛତିଶଗଡ଼ରେ ବିଜେପି ୧୧ଟି ଲୋକସଭା ଆସନରୁ ୯ ଟି ଆସନରେ ନିର୍ବାଚନ ଜିତିଛି। ଅନ୍ୟପକ୍ଷେ କଂଗ୍ରେସକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୨୦୧୪ରେ ବିଜେପି ଛତିଶଗଡ଼ରେ ୧୧ଟିରୁ ୧୦ଟି ଆସନରେ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷେ କଂଗ୍ରେସ ଗତ ବିଧାନସଭା ନିର୍ବାଚନରେ ଛତିଶଗଡ଼ର ୯୦ ବିଧାନସଭା ଆସନରୁ ୬୮ଟିରେ ବିଜୟ ହାସଲ କରିଥିବାବେଳେ ଏଥର ଶୋଚନୀୟ ପରାଜୟ ବରଣ କରିଛି। ତେବେ ବିଧାନସଭା ନିର୍ବାଚନର ପରାଜୟରୁ ଶିକ୍ଷା ଗ୍ରହଣ କରି ବିଜେପି ଚଳିତ ଲୋକସଭା ନିର୍ବାଚନରେ ସବୁ ଆସନରେ ନୂ୍ଆ ପ୍ରାର୍ଥୀ ଦେଇଥିଲା। ସମସ୍ତ ଲୋକସଭା ଆସନରେ ବିଜେପି ଏହାର ପ୍ରାର୍ଥୀ ବଦଳାଇଥିବାରୁ ବିଜେପି ପାଇଁ ବିଜୟ ହାସଲ କରିବା ସହଜ ହୋଇଛି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଛତିଶଗଡ଼ରେ ୧୧ ଲୋକସଭା ଆସନରେ ସମୁଦାୟ ୧୬୬ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ରାଜ୍ୟର ଏକ ପ୍ରମୁ୍ଖ ନିର୍ବାଚନମଣ୍ଡଳୀ ହେଉଛି ରାୟପୁର। ବିଜେପିର ରମେଶ ବାୟସ୍ ଏହି ଆସନକୁ ଲଗାତାର ୭ ଥର ପ୍ରତିନିଧିତ୍ବ କରିଛନ୍ତି। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ରମେଶଙ୍କୁ ଟିକଟ୍ ନଦେଇ ସୁନିଲ ସୋନୀଙ୍କୁ ଟିକେଟ୍ ଦେଇଥିଲା। ନକ୍ସଲ୍ ପ୍ରଭାବିତ ବସ୍ତର ନିର୍ବାଚନ ମଣ୍ଡଳୀରେ ୮ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଉଲ୍ଲେଖଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ଆସନରେ ନିର୍ବାଚନ ଜିତିଥିଲେ ମଧ୍ୟ ଏହାର ଭୋଟ୍ ସେୟାର ୩୯ ପ୍ରତିଶତ ଥିଲା ଅନ୍ୟପକ୍ଷେ ବିଜେପିର ଭୋଟ୍ ସେୟାର ୪୯.୬୬ ପ୍ରତିଶତ ଥିଲା।