ଭିଲାଇ ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ପାଇପ୍‌ ଲାଇନ ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୧୩ ହେଲା

ରାୟପୁର: ମଙ୍ଗଳବାର ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ପାଇପ୍‌ ଫାଟି ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସକାଳ ୧୦.୩୦ରେ ଘଟିଥିବା ଜଣାଯାଇଛି।

ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ପ୍ରାୟ ୩୦ କିଲୋମିଟର ଦୂର ଭିଲାଇ ସହରରେ ଥିବା ଷ୍ଟିଲ ପ୍ଲାଣ୍ଟର କୋକ ଓଭନ ସେକ୍ସନ ନିକଟରେ ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ସମୟରେ ସେଠାରେ ୨୪ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ବୋଲି ଦୁର୍ଗ ରେଞ୍ଜର ପୁଲିସ ଆଇଜି ଜି.ପି.ସିଂ କହିଛନ୍ତି। ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ପ୍ଲାଣ୍ଟ୍‌ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ପ୍ରଥମେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ହସ୍ପିଟାଲରେ ଆଉ ୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ଜାରି ସୂଚନା ଅନୁସାରେ କୋକ୍‌ ଓଭେନର ୧୧ ନମ୍ବର ବ୍ୟାଟେରି  କମ୍ପେକ୍ସରେ ଥିବା ଗ୍ୟାସ ପାଇପ୍‌ ଲାଇନର ରକ୍ଷଣାବେକ୍ଷଣ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ବର୍ତ୍ତମାନ ବିସ୍ଫୋରଣ ସ୍ଥଳରେ ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରାଯାଇ ସାରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଲାଗି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ ଯେ ୨୦୧୪ ମସିହାରେ ମଧ୍ୟ ଅନୁରୂପ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୫୦ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର