ଛତିଶଗଡ଼ରେ ପୁଲିଂ ବୁଥ ଠାରୁ ୭ଶହ ମିଟର ଦୂରରେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ

ରାୟପୁର: ଆଜି ଆଦିବାସୀ ଅଧ୍ୟୁଷିତ ଛତିଶଗଡ଼ର ବିଧନେସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ୧୮ଟି ମାଓବାଦୀ ଉପଦ୍ରୁତ ଅଞ୍ଚଳରେ ଆଜି ଭୋଟିଂ କରାଯାଉଥିବା ବେଳେ ଏହି ନିର୍ବାଚନକୁ ବହିଷ୍କାର ପାଇଁ ମାଓବାଦୀମାନେ ଡାକରା ଦେଇଛନ୍ତି। ତେଣୁ କଡ଼ା ସୁରକ୍ଷା ବଳୟ ଭିତରେ ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଦାନ୍ତେଓ୍ଵାଡ଼ା ଜିଲ୍ଲାରେ ମାଓବାଦୀମାନେ ଆଇଇଡି ବିସ୍ପେରଣ କରି ମତଦାତାମାନଙ୍କୁ ଭୟଭିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଆଜି ସକାଳେ ଦାନ୍ତେଓ୍ଵାଡ଼ା ଜିଲ୍ଲାର କାଟେକଲ୍ୟୃାଣ ଅଞ୍ଚଳର ନୟନର ଗାଁରେ ଥିବା ବୁଥ ନମ୍ବର୧୩୮ ଠାରୁ ପ୍ରାୟ ୭ଶହ ମିଟର ଦୂରରେ ମାଓବାଦୀମାନେ ଏହି ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ତେବେ ବିସ୍ଫୋରଣରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ବିଧାନସଭା ନିର୍ବାଚନକୁ ବହିଷ୍କାର କରିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ମାଓବାଦୀମାନେ ଆହ୍ଵାନ ଦେଇଛନ୍ତି। ଏହା ସତ୍ତ୍ୱେ ସମସ୍ତ ପୁଲିଂ ବୁଥରେ କଡ଼ା ସୁରକ୍ଷା ବୟଳ ଭିତରେ ନର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପୁଲିଂ ବୁଥ ଗୁଡ଼ିକୁ ଡ୍ରୋନ କ୍ୟାମେରା ସହ୍ରାୟତାରେ ନଜରରେ ରଖାଯାଇଛିି।
ସୂଚନାଯୋଗ୍ୟ ଯେ ଆଜି ହେଉଥିବା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ଭୋଟିଂ ହେଉଛି। ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୯ଶହ ପୁଲିଂ ଅଧିକାରୀଙ୍କୁ ବାୟୁମାର୍ଗର ପୁଲିଂ ବୁଥରେ ପହଞ୍ଚାଯାଇଛି।

ସମ୍ବନ୍ଧିତ ଖବର