ଛତିଶଗଡ଼: ଧମତରୀରେ ନକ୍ସଲ୍‌ଙ୍କ ସହ ଗୁଳିବିନିମୟ ଯୋଗୁଁ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ଅନ୍ୟ ଜଣେ ଆହତ

ଧମତରୀ: ଶୁକ୍ରବାର ଦିନ ଛତିଶଗଡ଼ର ଧମତରୀ ଜିଲ୍ଲାରେ ନକ୍ସଲ୍‌ମାନଙ୍କ ସହ ଗୁଳି ବିନିମୟ କରି ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ ଫୋର୍ସ’ର (ସିଆର୍‌ପିଏଫ୍‌) ଜଣେ ଯବାନ ସହିଦ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ସାଲେଘାଟ ଅଞ୍ଚଳର ଅରଣ୍ୟରେ ଆଜି ପ୍ରତ୍ୟୁଷରେ ଘଟଣାଟି ଘଟିଛି।

ସହିଦ ଯବାନଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଭୋପାଳବାସୀ ହରିଶଚନ୍ଦ୍ର ପାଲ୍‌। ୪୪ ବର୍ଷିୟ ପାଲ୍‌ ଜି/୧୧ ବାଟାଲିୟାନ୍‌ର।

ଆହତ ଯବାନ ହେଉଛନ୍ତି ସୁଧୀର କୁମାର। ତାଙ୍କ ବାମ ଗୋଡ଼ରେ ଗୁଳି ଚୋଟ ଲାଗିଛି। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ଯବାନମାନେ ମଧ୍ୟ ନକ୍ସଲମାନଙ୍କର ବିପୁଳ କ୍ଷତି କରିଛନ୍ତି।

କଙ୍କର ଜିଲ୍ଲାରେ ଗୁରୁବାର ଦିନ ଚାରିଜଣ ବିଏସ୍‌ଏଫ୍‌ କର୍ମଚାରୀ ସହିଦ ଓ ଅନ୍ୟ ଦୁଇ ଜଣ ଆହତ ହେବା ପରେ ଆଜିର ଘଟଣା ଘଟିଛି।
ବିଏସ୍‌ଏଫ୍‌ର ୧୧୪ ବାଟାଲିୟାନ୍‌ ଏବଂ ଜିଲ୍ଲା ପୁଲିସ ବଳର ଏକ ମିଳିତ ଦଳ ମଧ୍ୟାହ୍ନ ସମୟରେ ମହଲ ଗାଁ ନିକଟ ଘଞ୍ଚ ଅରଣ୍ୟ ମଧ୍ୟକୁ ‘ଏରିଆ ଡୋମିନେସନ୍‌’ ଅଭିଯାନ ଯାଇଥିବା ବେଳେ ନକ୍ସଲ୍‌ମାନେ ଆକ୍ରମଣ କରିଥିଲେ ବୋଲି ନକ୍ସଲ୍‌ ବିରୋଧୀ ଅଭିଯାନର ଡେପୁଟି ପୋଲିସ୍‌ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ସୁନ୍ଦରରାଜ ପି. କହିଛନ୍ତି।

ସହିଦ ହୋଇଥିବା ବିଏସ୍‌ଏଫ୍‌ କର୍ମଚାରୀମାନେ ହେଲେ ଆସାମନିବାସୀ ଆସିଷ୍ଟାଣ୍ଟ୍‌ ସବ୍‌-ଇନ୍‌ସ୍‌ପେକ୍ଟର୍‌ ବିପୁଳ ବୋରା, ଆନ୍ଧ୍ରପ୍ରଦେଶ ନିବାସୀ କନେଷ୍ଟବଳ ସିଲମ୍‌ ରାମକୃଷ୍ଣ ଓ ଝାଡ଼ଖଣ୍ଡର ଇଶ୍ରାର୍‌ ଖାଁ ଏବଂ ଛତିଶଗଡ଼ ନିବାସୀ ତୁମେଶ୍ୱର।

ଗୁଳିବିନିମୟରେ ବିଏସ୍‌ଏଫ୍‌ର ସହକାରୀ କମାଣ୍ଡାଣ୍ଟ୍‌ ଗୋପୁ କୁମାର ଏବଂ ଇନ୍‌ସ୍‌ପେକ୍ଟର୍‌ ଗୋପାଳ ରଙ୍ଗ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର